
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ), କେନ୍ଦ୍ରାପଡ଼ା ପକ୍ଷରୁ ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ବର୍ଷର ଥିମ୍ ଥିଲା “ଶକ୍ତି ସ୍ୱରୂପିଣୀ”। କାର୍ଯ୍ୟକ୍ରମରେ ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ଜୀବନ ଶୈଳୀ ପ୍ରଚାର ପାଇଁ ଯୋଗର ଗୁରୁତ୍ୱ ଉପରେ ଜୋର ଦିଆଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୋଗ ପ୍ରଶିକ୍ଷକ ସଞ୍ଜୟ ମଥାନ ଓ ଟୁଟୁ ମଲିକ ଯୋଗାସନ ପ୍ରଦର୍ଶନ କରି ପ୍ରଶିକ୍ଷଣ ଦେଇଥିଲେ।
ଏହି ଶିବିରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ପ୍ରାୟ ୩୦୦ରୁ ଅଧିକ ମହିଳା ଓ ଯୁବତୀ ଅଂଶଗ୍ରହଣ କରିଥିଲେ। ସୁସ୍ଥ ଶରୀର, ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ମାନସିକତା ଗଠନ ପାଇଁ ଯୋଗର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହୀମାନଙ୍କୁ ସଚେତନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ମହିଳାଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ରହିଥିଲା l
ହିନ୍ଦୁସ୍ଥାନ ସମାଚାର / ରବି