
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତୀଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହି ବିକ୍ଷୋଭରେ ଗ୍ୟାସ ଟାଙ୍କି ମୁଣ୍ଡେଇ ମହିଳା କଂଗ୍ରେସ ନେତୃବୃନ୍ଦ ରାଲି କରିଥିଲେ ଏବଂ ମାଷ୍ଟର କ୍ୟାଂଟିନ ଛକରେ ଚୁଲିରେ କାଠ ଜାଳି ରୋଷେଇ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ।
ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଥିଲେ ଯେ ମୋଦୀ ସରକାର ସିଲିଣ୍ଡର (୧୪.୨ କିଲୋ) ପିଛା ୬୦ ଟଙ୍କା ଦର ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟିକ ସିଲିଣ୍ଡର (୧୯ କିଲୋ) ୧୧୫ ଟଙ୍କା ବୃଦ୍ଧି ପାଇଛି । ଗତ ୧୧ ମାସ ତଳେ ଅପ୍ରିଲ ୮ ତାରିଖରେ ମୋଦୀ ସରକାର ଘରୋଇ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଥିଲେ । ସାଧାରଣ ଜନତାଙ୍କର ଗଳାରେ ଖୋଜ ପକାଇଛନ୍ତି । ଅନ୍ୟପକ୍ଷରେ ୨୦୧୪ ମସିହା ପୂର୍ବରୁ ମନମୋହନ ସିଂ ସରକାରଙ୍କ ସମୟରେ ଘରୋଇ ସିଲିଣ୍ଡର ପିଛା ୪୧୦ ଟଙ୍କା ଥିବାବେଳେ ଏବେ ଏହା ୧୦୦୦ ଟଙ୍କାକୁ ପହଂଚିଲାଣି । ମୋଦୀଙ୍କର ଆଚ୍ଛାଦିନର ସ୍ୱପ୍ନର ବାସ୍ତବତା କିଭଳି ବିକୃତ ତାକୁ ଆଜି ଦେଶର ସାଧାରଣ ଜନତା ଅନୁଭବ କରୁଛନ୍ତି । ଏହି ମହଙ୍ଗାମାଡ ସିଧାସଳଖ ହାଣ୍ଡିଶାଳରେ ପଡିଛି । ଏଣୁ ହାଣ୍ଡିଶାଳରୁ ବିପ୍ଳବର ସ୍ୱର ପ୍ରକଟିତ ହେବାର ସମୟ ଆସିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା