
ଭୁବନେଶ୍ୱର , 13 ଏପ୍ରିଲ (ହି.ସ.) କାଉନସିଲ୍ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ - ଇନଷ୍ଟିଚ୍ୟୁଟ୍ ଅଫ ମିନେରାଲ୍ସ ଆଣ୍ଡ ମଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି), ଭୁବନେଶ୍ୱରରେ ଏହାର ପ୍ରତିଷ୍ଠା ଦିବସ ପାଳନ କରିଛି । ୧୩ ଏପ୍ରିଲ ୧୯୬୪ରେ ଆଞ୍ଚଳିକ ଗବେଷଣାଗାର (ଆରଆରଏଲ୍) ଭାବେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଆଜି ଖଣିଜ, ଧାତୁ ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ଗବେଷଣା କେନ୍ଦ୍ର ଭାବେ ମାନ୍ୟତା ପାଇଛି। ଏହି ଅବସରରେ ଅନୁଷ୍ଠାନର ବର୍ତ୍ତମାନ ଓ ପୂର୍ବତନ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡା. ରାମାନୁଜ ନାରାୟଣ ଗତ ଆର୍ଥିକ ବର୍ଷର ସଫଳତା ଏବଂ ଗବେଷଣା କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ । ସେ ବିଶେଷ କରି ଡିକାର୍ବୋନାଇଜେସନ୍ ଏବଂ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରରେ ନୂତନ ସୁବିଧା ସୃଷ୍ଟି ଓ ଆଧୁନିକ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ। ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ କହିଥିଲେ ଯେ, ଗବେଷଣା କେବଳ ପରୀକ୍ଷାଗାର ମଧ୍ୟରେ ସୀମିତ ନ ରହି ଜାତୀୟ ଉନ୍ନତିରେ ସହାୟକ ହେବା ଉଚିତ, ଯାହାଦ୍ୱାରା ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ।
ଏହି ସମାରୋହରେ ନାଲକୋର ନିର୍ଦ୍ଦେଶକ(ପ୍ରୋଜେକ୍ଟ୍ସ ଏବଂ ଟେକ୍ନିକାଲ୍) ଶ୍ରୀ ଜଗଦୀଶ ଆରୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଆଲୁମିନିୟମ ଶିଳ୍ପର ବିଭିନ୍ନ ପ୍ରଯୁକ୍ତିଗତ ସମସ୍ୟା, ସ୍ୱଦେଶୀ ସ୍ମେଲ୍ଟର୍ ଟେକ୍ନୋଲୋଜିର ଆବଶ୍ୟକତା ଏବଂ ଶିଳ୍ପ ବର୍ଜ୍ୟବସ୍ତୁ ଯଥା ରେଡ୍ ମଡ୍ ଓ ଫ୍ଲାଇ ଆଶ୍ର ସଠିକ୍ ବିନିଯୋଗ ଉପରେ ଆଲୋକପାତ କରିଥିଲେ। ଏଥିସହ ସେ ଯୁବ ଗବେଷକମାନଙ୍କୁ କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣେଇବାକୁ ଆହ୍ୱାନ କରିଥିଲେ।
ମାନବ ସମ୍ପଦ ବିକାଶ ବିଭାଗର ମୁଖ୍ୟ ଡା. ତୃପ୍ତି ଦାସ ବାର୍ଷିକ କାର୍ଯ୍ୟକଳାପର ସାରାଂଶ ପ୍ରଦାନ କରିଥିଲେ। ସେ ଜିଜ୍ଞାସା, ସ୍କିଲ୍ ଡେଭେଲପମେଣ୍ଟ, ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ମାଧ୍ୟମରେ ମାନବ ସମ୍ପଦ ଉନ୍ନୟନ ବିଷୟରେ ଉଲ୍ଲେଖ କରିଥିଲେ। ଏହା ସହିତ ଅନୁଷ୍ଠାନର ହିନ୍ଦୀ ପତ୍ରିକା “ଅଭିବ୍ୟକ୍ତି” ମଧ୍ୟ ଉନ୍ମୋଚିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ