
ଭୁବନେଶ୍ୱର, 16 ଏପ୍ରିଲ୍ (ହି.ସ.)- ବିଶ୍ୱ
ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ୱାରା ସୋନପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଗୁରୁବାର ଦିଆଯାଇଥିବା
12 ଘଣ୍ଟିଆ ବନ୍ଦ
ଯୋଗୁଁ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହି ବନ୍ଦ ଆମ୍ବେଦକର ଶୋଭାଯାତ୍ରା
ସମୟରେ ଘଟିଥିବା ଘଟଣା ପରେ ସୃଷ୍ଟି ହୋଇଥିବା ବିବାଦର ପରିଣାମ ସ୍ୱରୂପ ଡକାଯାଇଛି।
ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବୁଧବାର ବାହାରିଥିବା ଶୋଭାଯାତ୍ରା
ସମୟରେ ଭଗବାନ ଶ୍ରୀରାମଙ୍କ ଫଟୋକୁ ଫାଡ଼ି ଦିଆଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା
ଏବଂ ବନ୍ଦ ଡାକରା ନିଷ୍ପତି ନିଆଯାଇଛି ।
ଏହି ବନ୍ଦର ପ୍ରଭାବ ସମଗ୍ର ଅଞ୍ଚଳରେ ବ୍ୟାପକ ଭାବରେ ଦେଖିବାକୁ ମିଳିଛି।
ବଜାର ଓ ଦୋକାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ
କାମ ବନ୍ଦ ରଖିଛି। ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ବନ୍ଦ ରହିଛି । ଯାତାୟାତ ଉପରେ ମଧ୍ୟ ଏହାର
ଗଭୀର ପ୍ରଭାବ ପଡ଼ିଛି ।ରାସ୍ତାଘାଟ ମଧ୍ୟ ସଂପୂର୍ଣ୍ଣ ଶୁନଶାନ ହୋଇପଡିଛି ।
ବଜରଙ୍ଗ ଦଳର କର୍ମୀମାନେ ବନ୍ଦକୁ ସଫଳ କରିବା ପାଇଁ ବହୁ ସ୍ଥାନରେ
ପିକେଟିଂ କରିଛନ୍ତି, ଯାହା ଫଳରେ ସାଧାରଣ
କାର୍ଯ୍ୟକଳାପ ପ୍ରାୟ ଠପ୍ ହୋଇପଡିଛି। ଜରୁରୀକାମନ ଥିଲେ କେବଳ ଲୋକେ ବାହାରକୁ ବାହାରୁଛନ୍ତି ।
ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ
ରହିଛି । ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ପୋଲିସ୍ ବଳ ନିଯୁକ୍ତ କରାଯାଇଛି ଏବଂ ଆଇନ-ଶୃଙ୍ଖଳା
ରକ୍ଷା ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରିତିକର ଘଟଣା ରୋକିବା ପାଇଁ
ଲଗାତାର ନଜର ରଖାଯାଉଥିବା ଅଧିକାରୀମାନେ କହିଛନ୍ତି।
ତଥାପି ବନ୍ଦ ସମୟରେ ଆବଶ୍ୟକ ସେବାମାନଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି, ଯାହା ଫଳରେ ସାଧାରଣ
ଲୋକମାନେ ଅଧିକ ଅସୁବିଧାରେ ନପଡିବେ। ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଓ ପୋଲିସ୍ ସମନ୍ୱୟରେ
କାମ କରୁଛନ୍ତି।
ଆୟୋଜକମାନେ କଥିତ ଘଟଣାର କଡ଼ା ନିନ୍ଦା କରି ଦୋଷୀମାନଙ୍କ ବିରୋଧରେ
କଠୋର କାର୍ଯ୍ୟନୁଷ୍ଠାନର ଦାବି କରିଛନ୍ତି। ଏହା ସମ୍ବନ୍ଧରେ ସ୍ଥାନୀୟ ଥାନାରେ ମାମଲା ରଜିଷ୍ଟର
କରାଯାଇଛି ଏବଂ ତଦନ୍ତ ଜାରି ରହିଛି।
ସ୍ଥାନୀୟ ଲୋକମାନେ ମଧ୍ୟ ବନ୍ଦକୁ ସମର୍ଥନ କରି କହିଛନ୍ତି ଯେ, ଏହି ଘଟଣା ତାଙ୍କର
ଭାବନାକୁ ଆହତ କରିଛି। ପ୍ରଶାସନ ଲୋକମାନଙ୍କୁ ଶାନ୍ତି ରଖିବା ଓ ତଦନ୍ତରେ ସହଯୋଗ କରିବାକୁ
ଅନୁରୋଧ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା