
କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲ୍ଲା ଘଟଗାଁ ନଗର ତରଫରୁ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଛାତ୍ର ନିବାସର ଭଗ୍ନ ଅବସ୍ଥାର ଦୂରୀକରଣ ସହ ଛାତ୍ର ନିବାସରେ ଦୈନଦିନ ଘଟୁଥିବା ବିଭିନ୍ନ ମୌଳିକ ଅସୁବିଧା ବାବଦରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିବା ସହିତ ସମସ୍ୟାର ଦୂରୀକରଣ ପାଇଁ ନିବେଦନ କରାଯାଇଥିଲା। ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ଥିବାରୁ ଏହାର ଗାରିମା ଏବଂ ଦକ୍ଷତା ପାଇଁ ଦୂରଦୂରାନ୍ତରୁ ଛାତ୍ର ଛାତ୍ରୀ ମାନେ ଏଠାରେ ଅଧ୍ୟୟନ କରିବାକୁ ଆସିଥାନ୍ତି କିନ୍ତୁ ଦୁଃଖର ବିଷୟ, ଏହି ମହାବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେଣି। ଛାତ୍ର ନିବାସରେ ଗୋଟିଏ ମାତ୍ର ପାଇଖାନା ଥିବାରୁ ପିଲାମାନେ ନିତ୍ୟକର୍ମ କରିବାରେ ନାନବିଧ ସମସ୍ୟାର ସାମ୍ନା କରୁଛନ୍ତି। ବହୁ ପୂର୍ବରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବହୁବାର ନିବେଦନ କରାଗଲେ ମଧ୍ୟ ତାହାର ଫଳାଫଳ କିଛି ଦେଖାଯାଉନାହିଁ ଯଦି ଏହାର ଦୂରୀକରଣ ନ କରାଯାଏ ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘଟଗାଁ ନଗର ତରଫରୁ ଆନ୍ଦୋଳନ କରାଯିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭାଗ ସହ ସଂଯୋଜକ ତଥା ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ଚିନ୍ମୟ କୁମାର ବାରିକଙ୍କୁ କିଛି ଛାତ୍ର ଓ ଛାତ୍ରୀ ଜଣାଇଥିଲେ। ସମସ୍ୟାରେ ସୁଧାର ଅଣାଯିବା ଆବଶ୍ୟକ ଏଥିପାଇଁ, ତାରିଣୀ ଛାତ୍ର ନିବାସର ଛାତ୍ର ବୃନ୍ଦ ମିଳିତ ଭାବରେ ନିବେଦନ ପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA