




ସୁବର୍ଣ୍ଣପୁର, ୧୭ ଏପ୍ରିଲ୍ (ହି.ସ.)- ସୁବର୍ଣ୍ଣପୁର ସଂସ୍କୃତି ଭବନରେ ଓଡ଼ିଆ ସାହିତ୍ୟର ପ୍ରଖର ଗଦ୍ୟଶିଳ୍ପୀ ଭୁବନେଶ୍ୱର ବେହେରାଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଗଭୀର ଶ୍ରଦ୍ଧା ଓ ଗମ୍ଭୀରତାର ସହିତ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସାହିତ୍ୟ ଏକାଡେମୀ ଓ ମହାନଦୀ ସାହିତ୍ୟ ସଂସଦର ସଂଯୁକ୍ତ ପ୍ରୟାସରେ ଏହି ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା ।
ଏହି ଅବସରରେ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ଃ. ପବନ କୁମାର ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଭୁବନେଶ୍ୱର ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ଉଦବୋଧନରେ ସେ ବେହେରାଙ୍କ ଗଳ୍ପ ସାହିତ୍ୟ, ଗଦ୍ୟଶୈଳୀ ଓ ସମାଜଜୀବନ ସହିତ ତାଙ୍କ ରଚନାର ଗଭୀର ସମ୍ପର୍କକୁ ଉଲ୍ଲେଖ କରିଥିଲେ ।
ଆଲୋଚକମାନେ ବେହେରାଙ୍କ ସାହିତ୍ୟରେ ଗ୍ରାମୀଣ ଜୀବନ, ସାମାଜିକ ବିରୋଧାଭାସ ଓ ମନୁଷ୍ୟର ଆନ୍ତରିକ ଭାବନାର ସଂବେଦନଶୀଳ ପ୍ରତିଛବିକୁ ଉଚ୍ଚ ସ୍ଥାନ ଦେଇଥିଲେ । ସେମାନେ ମତ ପ୍ରକାଶ କରିଥିଲେ ଯେ, ଏହି ବୈଶିଷ୍ଟ୍ୟ ତାଙ୍କୁ ଓଡ଼ିଆ ଗଦ୍ୟ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଛି ।
ଜିଲ୍ଲାପାଳ ନୃପରାଜ ସାହୁ, ପ୍ରଫେସର ସୁଦର୍ଶନ ପଣ୍ଡା, ଡ଼ଃ. ଦେବାଶିଷ ପଣ୍ଡିଆ ଓ ଡ଼ଃ. ସୌରଭ ରଞ୍ଜନ ଖମାରୀ ନବପିଢ଼ୀକୁ ବେହେରାଙ୍କ ସାହିତ୍ୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, କବି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ