
ଖୋର୍ଦ୍ଧା, ୧୭ ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଟାଙ୍ଗୀ ରେଞ୍ଜ ନିଧିପୁର ଗାଁରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନିଧିପୁର ଗ୍ରାମର ସୁଶାନ୍ତ ପ୍ରଧାନ(୪୦)। ଗୁରୁବାର ରାତିରେ ହଜ ଗ୍ରାମରୁ କାମ ସାରି ରାତି ସାଢ଼େ ଦଶଟାରେ ସାଇକେଲ୍ ରେ ଘରକୁ ଫେରିବା ବେଳେ କଲରରାଝର ଗାଁ ମୁଣ୍ଡରେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ହାତୀ ତାଙ୍କୁ ଦଳିଦେଇ ପ୍ରାଣ ନେଇଯାଇଥିଲା । ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଦୀର୍ଘ ସମୟ ଧରି ଅବରୋଧ କରି ଧାରଣାରେ ବସିଛନ୍ତି ଲୋକେ । ଫଳରେ ନୟାଗଡ-ପୁରୀ- ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରାଯିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ବନ ବିଭାଗ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଏହି ରେଞ୍ଜରେ ଦୀର୍ଘ ଦିନ ହେବ ହାତୀ ମଣିଷ ଲଢେଇ ଜାରି ରହିଛି । ଖାଦ୍ଯ ଅନ୍ୱେଷଣରେ ହାତୀ ଗାଁ ମୁହାଁ ହେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ