ଅନୁଗୋଳରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
‘ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମସ୍ତେ ଦୃଢ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)-ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀଶକ୍ତିର ବିଶାଳ ସମାଗମ ଭବିଷ୍ୟତ ଓଡ଼ିଶାର ଉନ୍ନତି ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଅନ
trjut78o


‘ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମସ୍ତେ ଦୃଢ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)-ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀଶକ୍ତିର ବିଶାଳ ସମାଗମ ଭବିଷ୍ୟତ ଓଡ଼ିଶାର ଉନ୍ନତି ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଅନୁଗୋଳରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନେବାକୁ ଆହ୍ୱାନ କରି କହିଥିଲେ ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ । ସେ କହିଥିଲେ ଯେ ନାରୀଙ୍କ ଉନ୍ନତି ବିନା ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ ଓ ନାରୀ ସଶକ୍ତିକରଣ ହେଉଛି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ମୂଳ ଆଧାର।

ନାରୀ ଶକ୍ତି ବନ୍ଦନ ବିଲ୍ କୁ ବିରୋଧ ଅର୍ଥ ନାରୀ ଶକ୍ତିର ଅସମ୍ମାନ। ଏହାର ବିରୋଧ ହେଉଛି ନାରୀ ସଶକ୍ତିକରଣର ବିରୋଧ। ଏହାକୁ ନାରୀ ସମାଜ କେବେ କ୍ଷମା ଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭାରତୀୟ ସଂସ୍କୃତିରେ ନାରୀଙ୍କ ସମ୍ମାନ ଓ ପୂଜାର ପରମ୍ପରାକୁ ଉଲ୍ଲେଖ କରି କହିଥିଲେ ଯେ “ୟତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ” ବାକ୍ୟ ଆମ ସମାଜର ମୂଲ୍ୟବୋଧକୁ ପ୍ରକାଶ କରେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ମହିଳାଙ୍କ ନେତୃତ୍ୱରେ ବିକାଶ’ ଆଜି ଦେଶର ମହିଳାମାନଙ୍କୁ ନୂଆ ଦିଗ ଦେଉଛି। ମହିଳାମାନେ ଆଜି ଶିକ୍ଷା, ସୁରକ୍ଷା, ବିଜ୍ଞାନ, କ୍ରୀଡ଼ା ଓ ପ୍ରଶାସନ ସମେତ ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ ପ୍ରମାଣ କରୁଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ନାରୀଶକ୍ତିର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅନୁଗୋଳ ଜିଲ୍ଲାରେ ୯୦ ହଜାରରୁ ଅଧିକ ଲକ୍ଷପତି ଦିଦି ଥିବାବେଳେ ସମଗ୍ର ରାଜ୍ୟରେ ୧୭ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଏହାଛଡ଼ା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ରେ ୩୮୮ ଜଣ କନ୍ୟାଙ୍କ ବିବାହ ପାଇଁ ୧.୭୧ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି ଏବଂ ଆଗାମୀ ବର୍ଷ ପାଇଁ ୧୧.୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି କହିଥିଲେ ।

ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜୋନ ୨୮ ଜିଲ୍ଲା ପରିଷଦ ମୀରା ଗଡ଼ନାୟକ, ଏନଏସି ଭାଇସ୍ ଚେୟାରମ୍ୟାନ୍ ଅନୁପମା ସାହୁ, ଅନୁଗୋଳ ଜିଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande