
ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ୨୦୨୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ୯ ଜଣ ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀ ଶୁକ୍ରବାର ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣର ଅଂଶସ୍ୱରୂପ, ଭବିଷ୍ୟତର ଏହି ପ୍ରଶାସକମାନଙ୍କୁ ଅନ୍ତର୍ଭୁକ୍ତିମୂଳକ ଶାସନ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟାୱାରୀଙ୍କ ନେତୃତ୍ୱରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭାଗର ପ୍ରମୁଖ ଲକ୍ଷ୍ୟଗୁଡ଼ିକ ବିଷୟରେ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷାର୍ଥୀମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ଏବଂ ସେବା ପ୍ରଦାନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ପାଇଥିଲେ। ଏହି ପ୍ରଶିକ୍ଷାର୍ଥୀ ଦଳରେ ଅନିମେଷ ପ୍ରଧାନ, ପ୍ରଜ୍ଞାନନ୍ଦନ ଗିରି, କୁମାରୀ କସ୍ତୁରୀ ସା, କୁମାରୀ ଫାବି ରସିଦ, କୁମାରୀ ମୃଣାଳିକା ରାଠୋର, କୁମାରୀ ଶୁଭ୍ରା ପଣ୍ଡା, ପବନ କୁମାର, କୁମାରୀ ଭଗତ ଶ୍ୟାମଳ କଲ୍ୟାଣରାଓ ଏବଂ ସନ୍ତୋଷ କୁମାର ପାତ୍ର ସାମିଲ ଥିଲେ।ଏହି ପ୍ରଶିକ୍ଷଣ ସମୟରେ ଅତିରିକ୍ତ ସଚିବ ଦୀପକ ରାଉତରାୟ ଏବଂ ଶ୍ରୀମତୀ ସୋନିଆ ବେହେରାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆମର ଭବିଷ୍ୟତ ଅଧିକାରୀମାନଙ୍କୁ ସମାଜର ଅସହାୟ ବର୍ଗଙ୍କ ସମସ୍ୟା ବୁଝିବା ଏବଂ ସରକାରୀ ନୀତିଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏହି ଅଭିଜ୍ଞତା ବିଶେଷ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା