ବ୍ରଜରାଜନଗର ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ
- ୬ ମାସ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ବ୍ରଜରାଜନଗର ପୌରାଂଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ମାଣାଧ
ବ୍ରଜରାଜନଗର ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ


- ୬ ମାସ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ବ୍ରଜରାଜନଗର ପୌରାଂଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ମାଣାଧୀନ ଥିବା ସମସ୍ତ ୨୪୦ଟି ପ୍ରକଳ୍ପକୁ ଆଗାମୀ ୬ ମାସ ମଧ୍ୟରେ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଯେଉଁ ଠିକାଦାର ଅଥବା ସଂସ୍ଥାମାନେ କାମ କରୁନାହାଁନ୍ତି କିମ୍ବା ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ବଡ଼ ପ୍ରକଳ୍ପ ମଧ୍ୟରେ ସୁପର୍ ମାର୍କେଟ୍, ନଦୀତଟର ସୌନ୍ଦର୍ଯ୍ୟକରଣ, ଚଣ୍ଡୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ, ପାଠାଗାର ଆଦିର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି । ଏଥିସହିତ କଲ୍ୟାଣ ମଣ୍ଡପ, ଅଡିଟୋରିୟମ୍, ଅଟଳ ବସ୍ ଷ୍ଟାଣ୍ଡ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ନେଇ ଆଲୋଚନା ହୋଇଛି । ଇବ୍ ନଦୀତଟରେ ନୂତନ ରିଂ ରୋଡ୍ ତଥା ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋଚନା କରିଛନ୍ତି । ସେହିପରି କୁତାବଗା ନିକଟରେ ଇବ୍ ନଦୀରେ ନୂତନ ପୋଲ ସହ ନୂଆ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏଥିସହିତ ଚଳିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ଏବଂ ବେଲପାହାଡ଼ ପୌରାଞ୍ଚଳରେ ୨୪ ଘଂଟା ଜଳଯୋଗାଣ ସୁନିଶ୍ଚିତ କରିବା ନେଇ ୱାଟକୋର ପରିଚାଳନା ନିର୍ଦ୍ଦେଶକଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହ ଜଳାକ୍ଳିଷ୍ଟ ଅଞ୍ଚଳରେ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣଲୋକଙ୍କ ମତାମତ ନେଇ ଯଥାଶୀଘ୍ର ୨୦୨୬-୨୭ ଆର୍ôଥକ ବର୍ଷ ନିମନ୍ତେ ଖସଡ଼ା ପ୍ରସ୍ତୁତି ପୂର୍ବକ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନଗୁଡିକର ନିର୍ମାଣ ଓ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅଗ୍ରାଧିକାର ଦେବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପୌର ପ୍ରଶାସନର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବପ୍ରଦୀପ କୁମାର ସାହୁ, ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷ ଗୋପାଳ ସିତାନୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande