ପ୍ରସନ୍ନ ପଣ୍ଡା ଛକରେ ସଡ଼କ ଦୁର୍ଘଟଣା: ୨ ଯୁବକଙ୍କ ମୃତ୍ୟୁ
2 dies in road mishap
ପ୍ରସନ୍ନ ପଣ୍ଡା ଛକରେ ସଡ଼କ ଦୁର୍ଘଟଣା: ୨ ଯୁବକଙ୍କ ମୃତ୍ୟୁ


ଝାରସୁଗୁଡା, 23 ଏପ୍ରିଲ୍ (ହି.ସ.) ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ପ୍ରସନ୍ନ ପଣ୍ଡା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ପୁଲିସ ସୂଚନା ଅନୁଯାୟୀ, ମୃତକ ଦୁଇଜଣ କୋଲାବିରା ଅଞ୍ଚଳର ପରମାନପୁର ଗ୍ରାମର ନରେଶ କିଶନ (୨୩) ଓ ଦୟାନିଧି ସାଗର (୩୬) ବୋଲି ପରିଚୟ ମିଳିଛି। ସେମାନେ ଏକେ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ମୁତାବକ, ସେମାନେ ରାସ୍ତାରେ ଯାଉଥିବା ଏକ ଟ୍ରଲରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବାଇକ୍ର ହାଣ୍ଡଲ୍ ଟ୍ରଲରକୁ ସ୍ପର୍ଶ କରିଥିବାରୁ ଦୁଇଜଣ ଭାରସାମ୍ୟ ହରାଇ ଟ୍ରଲରର ଚକା ତଳେ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ସଦର ଥାନା ପୁଲିସ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆସନ୍ତାକାଲି ଶବବ୍ୟବଚ୍ଛେଦ କରାଯିବ ବୋଲି ସଦର ଥାନାଧିକାରୀ ସ୍ୱପ୍ନା ରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି।ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande