ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର
ପୁରୀ, ୨୪ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶ୍ରୀ ମିଶ୍ରଙ୍କୁ ସ୍ବାଗତ କରିଥିଲେ। ସେଠାରେ ଶ୍
ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର


ପୁରୀ, ୨୪ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶ୍ରୀ ମିଶ୍ରଙ୍କୁ ସ୍ବାଗତ କରିଥିଲେ। ସେଠାରେ ଶ୍ରୀ ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମିଶ୍ର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସରକାରଙ୍କର ପ୍ରତ୍ୟେକ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଏହାର ସଫଳ ରୂପାୟନ ସହ ଯୋଗ୍ୟ ହିତାଧିକାରୀ ତାହାର ସୁଫଳ ପାଇବା ଉଚିତ।ତେଣୁ ଉପଯୁକ୍ତ ହିତାଧିକାରୀ ଚୟନ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପନ, ମୌଳିକ ଆବଶ୍ୟକତା ପୂରଣ ଓ ସାଧାରଣ ଲୋକ ମାନଙ୍କ ଅଭିଯୋଗ ଗୁଡିକର ନିୟମ ଅନୁସାରେ ତ୍ବରିତ ସମାଧାନ ପାଇଁ ଅଧ୍ୟକ୍ଷ ଶ୍ରୀ ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶାସନ ସେତୁ ସଦୃଶ୍ୟ। ଏହା ଯେତେ ମଜବୁତ ହେବ ବିକାଶ ସେତିକି ତ୍ବରାନ୍ବିତ ହେବ। ସରକାର ପୁରୀ ଜିଲ୍ଲା ପାଇଁ ଅନେକ ବୃହତ୍ତ ପ୍ରକଳ୍ପ ମାନ କରୁଛନ୍ତି। ବିମାନ ବନ୍ଦର ମଧ୍ୟ କରାଯାଉଛି। ତେଣୁ ସମସ୍ତଙ୍କ ସହଯୋଗରେ ପୁରୀ ଜିଲ୍ଲାକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ପ୍ରଥମ ୭ଟି ସ୍ଥାନରେ ରଖିବାକୁ ସେ ଆହ୍ୱାନ ଦେଇଥିଲେ। କୌଣସି ଟେବୁଲରେ ଯେପରି ଅହେତୁକ ଭାବେ ଫାଇଲ ନ ଅଟକେ ଓ ଧାଡିର ଶେଷ ଲୋକ ନିକଟରେ ଯେପରି ବିକାଶ ପହଞ୍ଚେ ତାହା ଦେଖିବା ଆମ ସମସ୍ତଙ୍କର ଦାୟିତ୍ଵ । ନିଜ ଦାୟିତ୍ଵକୁ ସୁଚାରୁ ରୂପେ ନିର୍ବାହ କରି ନିଜର ପରିଚୟ ସୃଷ୍ଟି ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଯୋଗଦେଇ ଜିଲ୍ଲାର ପ୍ରଗତି ଓ ବିକାଶରେ ଯୋଜନା ବୋର୍ଡ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ସାମୁହିକ ଉଦ୍ୟମରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସ ପି ପ୍ରତୀକ ସିଂ, ପୁରୀ ଡିଏଫଓ ଧନଜି ରାଓସୋ ମଗର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ସ୍ନେହା ଅରୁଗୁଳା, ଚିଲିକା ଡିଏଫଓ ଅମ୍ଲାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ପରିଚୟ ଓ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande