
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜମି ଅଗ୍ରାଧିକାର ଭିତିରେ ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ଗ୍ରାମପଂଚାୟତ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହି ଯୋଜନା ଅଧୀନରେ, ପ୍ରଥମ ପର୍ଯ୍ୟାୟରେ ୧୧୮ଟି ବିଦ୍ୟାଳୟ ଚୟନ କରାଯାଇ, ରାଜ୍ୟସ୍ତରୀୟ ଶିଳାନ୍ୟାସ କାର୍ଯ୍ୟକ୍ରମ ୭ ଜାନୁଆରୀ ୨୦୨୬ ତାରିଖରେ ଆୟୋଜିତ ହୋଇଥିଲା । ପୁନଶ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍୍ୟ ୨୧୨ଟି ବିଦ୍ୟାଳୟ ମଧ୍ୟ ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ଏତଦ୍ ବ୍ୟତୀତ ଉକ୍ତ ଯୋଜନା ଅଧୀନରେ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ଗ୍ରାମପଂଚାୟତଗୁଡି଼କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସମନ୍ୱୟରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷମତାପନ୍ନ କର୍ତୃପକ୍ଷ ଆବଶ୍ୟକ ଅଧିଗ୍ରହଣ ଫର୍ମ୍ ଦାଖଲ କଲେ, ଚିହ୍ନଟ ହୋଇଥିବା ଜମିକୁ ଉକ୍ତ ବିଭାଗ ପକ୍ଷରେ ହସ୍ତାନ୍ତର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା