ଶ୍ରମିକଙ୍କ କାର୍ଯ୍ୟ ସମୟ ସୂଚୀ ଉଲ୍ଲଂଘନ: ରେଳବାଇ ଓଭରବ୍ରିଜ୍ କାର୍ଯ୍ୟସ୍ଥଳରେ ଶ୍ରମ ବିଭାଗର ଚଢ଼ାଉ
Restriction on heavy work
ଶ୍ରମିକଙ୍କ କାର୍ଯ୍ୟ ସମୟ ସୂଚୀ ଉଲ୍ଲଂଘନ: ରେଳବାଇ ଓଭରବ୍ରିଜ୍ କାର୍ଯ୍ୟସ୍ଥଳରେ ଶ୍ରମ ବିଭାଗର ଚଢ଼ାଉ


ଝାରସୁଗୁଡ଼ା,୨୪ ଏପ୍ରିଲ୍ (ହି.ସ.) - ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ଶ୍ରମିକ ମାନଙ୍କୁ ସୁରକ୍ଷା ଦେବା ପାଇଁ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ପକ୍ଷରୁ ଏନଫୋର୍ସମେଂଟ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ସରକାରୀ ନିୟମ ଅନୁଯାୟୀ ପ୍ରଚଣ୍ଡ ରୌଦ୍ରତାପ ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଉପରେ ରହିଥିବା କଟକଣାକୁ ଉଲ୍ଲଂଘନ କରିଥିବାରୁ ଚକ୍ରଧରପୁର ରେଳବାଇ ଡିଭିଜନର ନିର୍ମାଣ ସଂସ୍ଥାକୁ ନୋଟିସ୍ ଜାରି କରାଯାଇଛି।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ କାଲି ମଧ୍ୟାହ୍ନ ସମୟରେ ସହକାରୀ ଶ୍ରମ ଅଧିକାରୀ ତରୁଣ କୁମାର ମହାନ୍ତି ଝାରସୁଗୁଡ଼ା ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ନିର୍ମାଣାଧୀନ ରେଳବାଇ ଓଭରବ୍ରିଜ୍ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଦେଖିବାକୁ ମିଳିଥିଲା ଯେ, ସରକାରଙ୍କ ଦ୍ୱାରା ଧାର?୍ୟ୍ୟ ନିଷିଦ୍ଧ ସମୟ (ଦିବା ୧୧:୦୦ ରୁ ଅପରାହ୍ନ ୩:୩୦) ମଧ୍ୟରେ ମଧ୍ୟ ସେଠାରେ ପ୍ରାୟ ୧୨ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା।

ସୂଚନା ଅନୁଯାୟୀ, ୧ ଏପ୍ରିଲ ୨୦୨୬ ରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ପ୍ରଖର ସୂର୍ଯ୍ୟକିରଣ ମଧ୍ୟରେ ଶ୍ରମିକଙ୍କୁ କାମ କରାଇବା ବେଆଇନ। ଏହି ନିୟମର ଅବମାନନା କରିଥିବାରୁ ଶ୍ରମ ବିଭାଗ ପକ୍ଷରୁ ସଂପୃକ୍ତ ରେଳବାଇ ଶାଖାକୁ ଏକ ଚେତାବନୀ ପତ୍ର ସହ ନୋଟିସ୍ ପ୍ରଦାନ କରାଯାଇଛି। ତୁରନ୍ତ କାର୍ଯ୍ୟ ସମୟ ପରିବର୍ତନ ନକଲେ, ଏହି ବିଷୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇ ଆଇନଗତ ଦଣ୍ଡବିଧାନ କରାଯିବ ବୋଲି ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଶ୍ରମିକମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ସହ ସରକାରୀ ଗାଇଡଲାଇନ୍ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନଙ୍କୁ ପୁନର୍ବାର ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande