
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - “ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା” ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଏସସିପିସିଆର, ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର କର୍ମକର୍ତାମାନଙ୍କ ସମେତ ମୋଟ ୮୦ ଜଣ ଅଂଶଗ୍ରହଣ କରିଥିଲେ ।
ଉଦଘାଟନୀ ଉତ୍ସବରେ ଓଏସସିପିସିଆର ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର , ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ଅନଲାଇନ ସୁରକ୍ଷା ପଦକ୍ଷେପର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ । ସେ ଶିଶୁମାନଙ୍କୁ ଅନଲାଇନ ବିପଦରୁ ସୁରକ୍ଷା ଦେବାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଡ଼ା. ଏନ. ତିରୁମାଲା ନାୟକ ଅନଲାଇନ ସୁରକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଓଏସସିପିସିଆର ଓ ଚାଇଲ୍ଡଫଣ୍ଡ ଇଣ୍ଡିଆଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶିଶୁ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଅନଲାଇନ ଶୋଷଣରୁ ସେମାନଙ୍କୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ ।
ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ ବିଦ୍ୟାଳୟ ପାଠ୍ୟକ୍ରମରେ ଅନଲାଇନ ସୁରକ୍ଷା ଶିକ୍ଷାକୁ ସମନ୍ୱିତ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ଶିଶୁମାନେ ସହଜରେ ବୁଝିବା ଓ ଆନନ୍ଦର ସହିତ ଶିଖିବା ପାଇଁ ଏହି ବିଷୟକୁ ଆକର୍ଷଣୀୟ ଓ କ୍ରୀଡ଼ାଧାରିତ ପଦ୍ଧତିରେ ଶିକ୍ଷା ପ୍ରଦାନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ସଙ୍ଗୀତା ବେହେରା ଅନଲାଇନ ବିପଦରୁ ଉତ୍ପନ୍ନ ହେଉଥିବା ଅପବ୍ୟବହାରକୁ ପ୍ରତିରୋଧ କରିବା ଏବଂ ଶିଶୁମାନଙ୍କ ଅନଲାଇନ ସୁରକ୍ଷା ନିଶ୍ଚିତ କରିବା ପାଇଁ ଓସେପା ଓ ଓଏସସିପିସିଆର ପରି ପ୍ରତିଷ୍ଠାନଗତ ସଂଗଠନମାନଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ ।
ଚାଇଲ୍ଡଫଣ୍ଡ ଇଣ୍ଡିଆର ପ୍ରୋଗ୍ରାମ ନିର୍ଦ୍ଦେଶିକା ଡ଼ା. ଶ୍ରବନ୍ତୀ ସେନ “ଶିଶୁମାନଙ୍କ ଅନଲାଇନ ସୁରକ୍ଷା” ବିଷୟରେ କେନ୍ଦ୍ରାପଡାରେ କରାଯାଇଥିବା ପାଇଲଟ ପ୍ରକଳ୍ପର ଫଳାଫଳ ପ୍ରସ୍ତୁତ କରିଥିଲେ । ସେ ପ୍ରକଳ୍ପର ମୁଖ୍ୟ ଅବଲୋକନଗୁଡ଼ିକୁ ଉଲ୍ଲେଖ କରି ଓଡ଼ିଶାରେ ଶିଶୁମାନଙ୍କ ଅନଲାଇନ ସୁରକ୍ଷା ବୃଦ୍ଧି ପାଇଁ ସ୍ୱରାଷ୍ଟ୍ର ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ବିଭିନ୍ନ ହିତାଧିକାରୀ ଓ ବିଭାଗମାନଙ୍କ ଭୂମିକା ଉପରେ ପ୍ରାଧାନ୍ୟ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଓଏସସିପିସିଆର ର ସଦସ୍ୟା ମନସ୍ମିତା ଖୁଣ୍ଟିଆ, ସଦସ୍ୟା କସ୍ତୁରୀ ମିଶ୍ର, ସଦସ୍ୟା ଚନ୍ଦନା ଦାସ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ଼ା. ସନ୍ତୋଷ କୁମାର ରାଉତ, ଓସେପାର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ପ୍ରାଚୀ ତନୟା ଗିରି ଏବଂ ଓଏସସିପିସିଆରର ସଚିବ ଶ୍ରୀମତୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ଚାଇଲ୍ଡଫଣ୍ଡ ଇଣ୍ଡିଆର ଉପନିର୍ଦ୍ଦେଶକ ଶ୍ରୀ ନବୀନ ଧନ୍ୟବାଦ ଜ୍ଞାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା