
ଚମ୍ପୁଆ, ୨୩ ଏପ୍ରିଲ୍ (ହି.ସ.)- ସହରର ବିକାଶ ଓ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ଚମ୍ପୁଆ ଏନଏସି କର୍ତ୍ତୃପକ୍ଷ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଚମ୍ପୁଆରୁ ଫଗୁ ବ୍ରିଜ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଦୟନିୟ ହୋଇପଡ଼ିଛି। ପ୍ରାୟ ଅଧା କିଲୋମିଟର ରାସ୍ତାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ଗୋଟିଏ ହେଲେ ଜଳୁ ନ ଥିବାରୁ ସନ୍ଧ୍ୟା ହେଲେ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ୁଛି। ଉକ୍ତ ରାସ୍ତାଟି ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ପାଇଁ ଏକ ପ୍ରମୁଖ ଚଲାପଥ। ପ୍ରତିଦିନ ଶତାଧିକ ଲୋକ ଏଠାରେ ମର୍ଣ୍ଣିଂ ୱାକ୍ ଏବଂ ଇଭିନିଂ ୱାକ୍ କରନ୍ତି। ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ଫଗୁ ଅଞ୍ଚଳ ବାସୀଙ୍କ ପାଇଁ ଚମ୍ପୁଆ ବଜାର ଏକ ମାତ୍ର ସାହା ଭରସା ହୋଇଥିବାରୁ ଏହି ରାସ୍ତା ଉପରେ ଦୈନିକ ଶତାଧିକ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ। ମାତ୍ର ଆଲୋକ ଅଭାବରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାର ଯୋଗୁଁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ଖାଲି ଷ୍ଟ୍ରିଟ୍ ଲାଇଟ୍ ନୁହେଁ, ତା' ସହିତ ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ରାସ୍ତା ସାରା କଂକ୍ରିଟ ଫାଟି ଆଁ କରିଥିବା ବେଳେ ସ୍ଥାନେ ସ୍ଥାନେ ରାସ୍ତା ଭାଙ୍ଗି ଉଦୁରୀ ଯିବା ଫଳରେ ଏହି ରାସ୍ତା ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ମରଣ ଯନ୍ତା ପାଲଟିଛି। ଲୋକଙ୍କ କହିବା ଅନୁସାରେ, ସେମାନେ ନିୟମିତ ଭାବେ ଏନଏସି କୁ ହୋଲଡିଂ ଟ୍ୟାକ୍ସ ପ୍ରଦାନ କରୁଛନ୍ତି, କିନ୍ତୁ ତାଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ ଯୋଗାଇ ଦିଆଯାଉନାହିଁ। ଅନ୍ଧାରରେ ବ୍ରିଜ୍ ଆଡକୁ ଯିବା ଏବେ ବିପଜ୍ଜନକ ହୋଇପଡ଼ିଛି। ହୋଲଡିଂ ଟ୍ୟାକ୍ସ ଆଦାୟରେ ପ୍ରଶାସନ ତତ୍ପରତା ଦେଖାଉଥିବା ବେଳେ ସର୍ବସାଧାରଣଙ୍କ ଅସୁବିଧା କଥା ଭୁଲି ଯାଉଥିବା ଅଭିଯୋଗ ହେଉଛି। ସେହିପରି ନର୍ଦ୍ଦମା ବା ଡ୍ରେନ୍ ଗୁଡ଼ିକ ମଧ୍ୟ ନିୟମିତ ସଫା କରାଯାଉ ନ ଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ଓ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ସହ ଡ୍ରେନ୍ ସଫେଇ ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta