
ଚମ୍ପୁଆ, ୨୩ ଏପ୍ରିଲ୍ (ହି.ସ.) - ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ବର୍ଷ ୨୦୨୫-୨୬ ପାଇଁ ପ୍ରତିଷ୍ଠିତ 'କାୟାକଳ୍ପ' ପୁରସ୍କାର ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଦର୍ଶନକୁ ନେଇ ସ୍ଥାନୀୟ ଅଂଚଳରେ ନୈରାଶ୍ୟ ଖେଳିଯାଇଛି। ଗତ ବର୍ଷ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚଳିତ ବର୍ଷ ୧୫ତମ ସ୍ଥାନକୁ ଖସି ଆସିଛି।
ସୂଚନାଯୋଗ୍ୟ ଯେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ୱଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ ଏବଂ ସେବା ପ୍ରଦାନର ମାନକୁ ପରଖିବା ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରା ଯାଇଥାଏ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଯାଂଚ କରାଯାଇ ମାର୍କ ଦିଆଯାଏ।
ଗତ ବର୍ଷ ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ନିଜର ସ୍ୱଚ୍ଛତା, ସୁନ୍ଦର ପରିବେଶ ଏବଂ ଉତମ ସେବା ପାଇଁ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାତ୍ର ବର୍ଷକ ମଧ୍ୟରେ ଏହି ସଫଳତା ଫିକା ପଡ଼ିଯାଇଛି। ପ୍ରଥମରୁ ସିଧା ପଂଚଦଶ ସ୍ଥାନକୁ ଖସିବା ଏହାର ସ୍ୱାସ୍ଥ୍ୟ ସେବା ଏବଂ ରକ୍ଷଣାବେକ୍ଷଣର ମାନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିପର୍ଯ୍ୟୟ ପଛରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କର୍ମଚାରୀଙ୍କ ଚରମ ଅବହେଳା ହିଁ ମୁଖ୍ୟ କାରଣବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନାରେ ଶିଥିଳତା, ସ୍ୱଚ୍ଛତା ପ୍ରତି ଦୃଷ୍ଟି ନଦେବା ଏବଂ କର୍ତବ୍ୟରେ ଅବହେଳା ଯୋଗୁଁ ଆଜି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାର ପୂର୍ବ ଗୌରବ ହରାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଯେଉଁ ହସ୍ପିଟାଲ ଦିନେ ରାଜ୍ୟ ପାଇଁ ଉଦାହରଣ ଥିଲା, ଆଜି କର୍ମଚାରୀଙ୍କ ସମନ୍ୱୟ ଅଭାବ ଓ ଅବହେଳାରୁ ତାହା ପଛକୁ ପଡ଼ିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ପୁଣି ଥରେ କିଭଳି ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଶୀର୍ଷ ସ୍ଥାନକୁ ଫେରିବ, ସେଥିପାଇଁ ଉପଯୁକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସାଧାରଣରେ ଦାବୀ ହେଉଛି। ତେବେ ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ବିଫଳତା ପରେ ଏବେ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta