
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଦୈନିକ ଧରୀତ୍ରୀ ପକ୍ଷରୁ ଗୁରୁବାର ଆୟୋଜିତ ବିଜନେସ୍ ଏମିନେନ୍ସ ଆୱାର୍ଡସ୍ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଆଜି ଆପଣମାନଙ୍କ ସହିତ ‘ବିଜନେସ୍ ଏମିନେନ୍ସ ଆୱାର୍ଡସ୍ ୨୦୨୬’ ରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଓଡ଼ିଶାର ବ୍ୟବସାୟ ଓ ଶିଳ୍ପଜଗତରେ ନିଜ ଦୃଢ଼ ସଂକଳ୍ପ, ପରିଶ୍ରମ, ନବଚିନ୍ତନ ଓ ସମାଜପ୍ରତି ଅଙ୍ଗୀକାର ଦ୍ୱାରା ନୂଆ ଅଧ୍ୟାୟ ରଚନା କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରୁଥିବା ଧରିତ୍ରୀ ଏବଂ ଓରିଶା ପୋଷ୍ଟକୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ଏହି ପୁରସ୍କାର କେବଳ ସଫଳତାର ଉତ୍ସବ ନୁହେଁ, ଏହା ହେଉଛି ସାହସ, ସଂଘର୍ଷ, ଆତ୍ମବିଶ୍ୱାସ, ନିଷ୍ଠା ଓ ଉଦ୍ୟମୀ ମନୋଭାବର ସମ୍ମାନ। ପ୍ରତ୍ୟେକ ସଫଳ ବ୍ୟବସାୟ ପଛରେ ରହିଥାଏ ଅନେକ ଅନିଦ୍ରା ରାତ୍ରି, ଅସଂଖ୍ୟ ପ୍ରୟାସ, ଆହ୍ୱାନର ମୁକାବିଲା ଓ ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ।
ଯେଉଁମାନେ ଶୂନ୍ୟରୁ ଆରମ୍ଭ କରି ସଫଳତାର ଶିଖରକୁ ପହଞ୍ଚନ୍ତି, ସେମାନେ ସମାଜ ପାଇଁ ପ୍ରେରଣାର ଉତ୍ସ । ଏହି ଆୱାର୍ଡ ଆରମ୍ଭ କରିଥିବାରୁ ମୁଁ ଧରିତ୍ରୀ ପରିବାରକୁ, ବିଶେଷକରି ତଥାଗତ ବାବୁଙ୍କୁ ଧନ୍ୟବାଦ ଜଣାଉଛି।
ଧରିତ୍ରୀ ହେଉଛି ଆଧୁନିକ ଓଡିଶାର ଚିନ୍ତାଧାରାର ପରିଚୟ। ୧୯୭୪ ମସିହାରେ ଦେଶ ଯେତେବେଳେ ଏକ ଟ୍ରାଞ୍ଜିସନ ଫେଜ୍?ରେ ଥିଲା, ସେହି ସମୟରେ ବିଶିଷ୍ଟ ଲେଖକ ତଥା ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ଏହି ଖବର କାଗଜ ଜନ୍ମନେଇଥିଲା। ଧରିତ୍ରୀ ସବୁବେଳେ ଯୁବ ବର୍ଗର ଆକାଂକ୍ଷାକୁ ପ୍ରତିଫଳିତ କରିଆସିଛି।
ବିଶେଷକରି ବ୍ୟବସାୟିକ ତଥା କ୍ରୀଡା ସମ୍ବାଦ ପ୍ରସାରଣ ଯୋଗୁ ଏହା ଯୁବବର୍ଗଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି। ତଥାଗତ ବାବୁଙ୍କ ନେତୃତ୍ୱରେ ଏହା ସବୁ ବର୍ଗର ପାଠକ ମାନଙ୍କ ପାଇଁ ଉପାଦେୟ ହୋଇପାରିଛି। ଧରିତ୍ରୀ ଖବର କାଗଜର ରୂପରେଖ ଏବଂ ସମ୍ବାଦ ପରିବେଷଣ ଢଙ୍ଗ ନିଶ୍ଚିତ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ଯାହା ବର୍ଷ ବର୍ଷ ଧରି ପାଠକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଛି।
କୋଭିଡ୍ ମହାମାରୀ ପରି କଠିନ ସମୟରେ ଯେତେବେଳେ ସାରା ବିଶ୍ୱ ଅନିଶ୍ଚିତତାରେ ଆବୃତ ଥିଲା, ସେତେବେଳେ ଏହି ପୁରସ୍କାରର ଆରମ୍ଭ ହେବା ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଥିଲା ।
ଏହା ସେହି ଉଦ୍ୟୋଗୀମାନଙ୍କୁ ସମ୍ମାନ ଦେଇଥିଲା, ଯେଉଁମାନେ ସଙ୍କଟରେ ମଧ୍ୟ ନିଜ କର୍ମଚାରୀଙ୍କ ପାଖରେ ଦୃଢ଼ଭାବେ ଠିଆ ହୋଇଥିଲେ, ନିଜ ସଂସ୍ଥାକୁ ଚାଲୁ ରଖିଥିଲେ ଓ ଅର୍ଥନୀତିକୁ ନିଜର ଅବଦାନ ଜାରି ରଖିଥିଲେ। ସେମାନେ କେବଳ ବ୍ୟବସାୟୀ ନୁହନ୍ତି, ସେମାନେ ସମାଜର ପ୍ରକୃତ ସେବକ।
ଆଜି ଓଡ଼ିଶା ନୂତନ ଯୁଗର ସୀମାରେ ଦଣ୍ଡାୟମାନ। ଯେଉଁ ଓଡ଼ିଶା ତାର ସଂସ୍କୃତି, ଐତିହ୍ୟ, କଳା ଓ ପ୍ରାକୃତିକ ସମ୍ପଦ ପାଇଁ ପରିଚିତ, ସେହି ଓଡ଼ିଶା ଆଜି ଶିଳ୍ପ, ନିବେଶ, ଶିକ୍ଷା, ପ୍ରଯୁକ୍ତି ଓ ଆର୍ôଥକ ଅଗ୍ରଗତିର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିଣତ ହେଉଛି।
ଓଡ଼ିଶା ଆଜି ଦ୍ରୁତ ଆର୍ôଥକ ଅଭିବୃଦ୍ଧି ସହିତ ଅଗ୍ରସର ହେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଛି । ଆଜିର ଓଡ଼ିଶା ଏକ ପରିବର୍ତ୍ତନର ମହାସନ୍ଧିକ୍ଷଣରେ ଦଣ୍ଡାୟମାନ। ଆମେ କେବଳ କଳା, ସଂସ୍କୃତି ଓ ପ୍ରାକୃତିକ ସମ୍ପଦରେ ସୀମିତ ନୁହେଁ, ବରଂ ବିଶ୍ୱର ଶିଳ୍ପ ଓ ପ୍ରଯୁକ୍ତି ମାନଚିତ୍ରରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛୁ।
ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟର ଲମ୍ବା ସମୁଦ୍ରତଟ, ଉତ୍କୃଷ୍ଟ ଭୌଗୋଳିକ ସ୍ଥିତି, ଦକ୍ଷ ଯୁବଶକ୍ତି, ସ୍ଥିର ଶାସନ ବ୍ୟବସ୍ଥା ଏବଂ ଲୋକଙ୍କ ଅଦମ୍ୟ ସାହସ ଆମର ସବୁଠାରୁ ବଡ଼ ଶକ୍ତି।
ଆମର ଏହି ଶକ୍ତିକୁ ନେଇ ଆମେ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟରଖି ଆଗକୁ ବଢୁଛୁ। ୨୦୩୬ ସୁଦ୍ଧା ଆମର ଅର୍ଥନୀତି ୫୦୦ ବିଲିଅନ ଡଲାର ହେବ। ୨୦୪୭ ସୁଦ୍ଧା ଆମେ ୧୫୦୦ ବିଲିଅନ ଡଲାର ଅର୍ଥନୀତିରେ ପହଞ୍ଚି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବାର ଲକ୍ଷ୍ୟ ରଖିଛୁ। ସେହି ଲକ୍ଷ୍ୟ ନେଇ ଆମେ ଆଗକୁ ଚାଲିବା ଆରମ୍ଭ କରିଛୁ। କେବଳ ବଡ ବଡ ଇଣ୍ଡଷ୍ଟ୍ରୀ ନୁହଁ, କିମ୍ବା ବଡ ଅଂଟପ୍ରିନ୍ୟୁର ନୁହଁ, ଛୋଟ ଛୋଟ ଇଣ୍ଡଷ୍ଟ୍ରୀ ମଧ୍ୟ ଆଜି ଆମ ସରକାରରେ ସୁଯୋଗ ପାଉଛନ୍ତି। ଯେହେତୁ, ଆମ ସରକାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରି ଆସୁଛି, ଆଜି ସେହି ବିଶ୍ୱାସ କେବଳ ଓଡିଶା ନୁହେଁ, ଭାରତ ଏବଂ ଭାରତ ବାହାରୁ ନିବେଶକମାନଙ୍କୁ ଆକର୍ଷିତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡିଶା ସେଣ୍ଟର ଷ୍ଟେଜ୍?ରେ ଅଛି। ଓଡିଶାର ପ୍ରତ୍ୟେକ ବିକାଶ ମୂଳକ ପ୍ରକଳ୍ପକୁ କେନ୍ଦ୍ର ସରକାର ଦୃଢ ସମର୍ଥନ ଦେଇ ଆସୁଛନ୍ତି।
ବିସିପିପିଇଆର ବା ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଇକୋନୋମିକ ରିଜିଅନର ପରିକଳ୍ପନା ବିଷୟରେ ଆପଣମାନେ ଜାଣିଛନ୍ତି। ଏ ସମଗ୍ର ଅଞ୍ଚଳକୁ କେବଳ ଓଡିଶା ନୁହେଁ, ସମଗ୍ର ପୂର୍ବ ଭାରତର ଅର୍ଥନୈତିକ ରାଜଧାନୀ ଭାବେ ଗଢିତୋଳିବା ପାଇଁ ଆମର ଯୋଜନା ଆରମ୍ଭ ହୋଇଛି। ମୋଦୀ ସରକାର ଏଥିପାଇଁ ୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି।
ଆପଣମାନେ କ୍ୟାପିଟାଲ ରିଜିଅନ ରିଂରୋଡ୍ ବିଷୟରେ ଜାଣିଛନ୍ତି। ତା ସହିତ କୋଷ୍ଟାଲ ହାଇୱେ ମଧ୍ୟ ନିର୍ମାଣ ହେଉଛି। ଏହି ସବୁ ଭିତ୍ତିଭୂମି ଆମର ଯୋଗାଯୋଗ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ।
ସଡକ ପଥ, ରେଳପଥ ସହିତ ସେମିକଣ୍ଡକ୍ଟର, ଆଇଟି, ଏଆଇ , ଫିନ୍?ଟେକ୍, ଟୁରିଜିମ୍ ଆଦି ଅନେକ ଆଧୁନିକ ଶିଳ୍ପ ପ୍ରତିଷ୍ଠା କରାଯିବ। ବିସିପିପିଇଆର ହେବ ପୂର୍ବ ଭାରତର ଅର୍ଥନୀତିର ହୃତପିଣ୍ଡ।
ଓଡିଶାରେ ରେଳ ବିକାଶ ବିଷୟରେ ଆପଣମାନେ ଜାଣନ୍ତି। ମୋଦୀ ସରକାରଙ୍କ ସମୟରେ ଓଡିଶାର ବଜେଟ୍ ପ୍ରାବଧାନ ୧୩ ଗୁଣ ଅଧିକ ହୋଇଛି। ବର୍ତ୍ତମାନ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଜାରି ରହିଛି। ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ଓଡିଶାର ୩୦ଟି ଜିଲ୍ଲାକୁ ରେଳ ଯୋଗାଯୋଗ ହୋଇଯିବ। ସଡକ ପଥରେ ମଧ୍ୟ କେନ୍ଦ୍ର ସରକାର ପ୍ରାୟ ୭୦ ହଜାର କୋଟି ଟଙ୍କାର ରାଜପଥ ପ୍ରକଳ୍ପ ଜାରି ରଖିଛନ୍ତି।
ଆମ ସରକାର ମଧ୍ୟ ନମୋ ଏକ୍ସପ୍ରେସ୍ ୱେ, ଅଟଳ ଏକ୍ସପ୍ରେସୱେ ଏବଂ ବ୍ରହ୍ମପୁର-ଜୟପୁର ହାଇୱେ ନିର୍ମାଣ କରୁଛି। ଏହି ସବୁ ପଥ ଗୁଡିକ ଓଡିଶାର ଲାଇଫ ଲାଇନ୍ ହେବ।
ଓଡିଶାରେ ବନ୍ଦର ବିକାଶ ପାଇଁ ଆମେ ଓଡିଶା ମାରିଟାଇମ ପ?ର୍ସ୍ପେକ୍?ଟିଭ ପ୍ଲାନ୍ ପ୍ରସ୍ତୁତ କରିଛୁ। ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ସବୁଦିନିଆ ବନ୍ଦରରେ ପରିଣତ ହେବ। କେନ୍ଦ୍ରାପଡାରେ ସିପ୍? ବିଲ୍?ଡିଙ୍ଗ କ୍ଲଷ୍ଟର ଓ ଗଞ୍ଜାମର ବାହୁଦାରେ ଏକ ଡିପ୍? ସି ପୋର୍ଟ ନିର୍ମାଣ କରାଯିବ। ଏହି ସବୁ ଭିତ୍ତିଭୂମି ଗୁଡିକ ସମୃଦ୍ଧ ଓଡିଶା ପାଇଁ ପଥ ପ୍ରସ୍ତୁତ କରିବ।
ଏବେ ଓଡ଼ିଶା ଶିଳ୍ପ ବିକାଶରେ ଐତିହାସିକ ଅଗ୍ରଗତି କରିଛି। ଭିତ୍ତିଭୂମି ସହିତ ଶିଳ୍ପାୟନ କ୍ଷେତ୍ରରେ ମଧ୍ୟ ଆମେ ରେକର୍ଡ ସୃଷ୍ଟି କରିଛୁ। କଳିଙ୍ଗନଗର, ପାରାଦୀପ, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକ ଆଜି ନୂଆ ସମୃଦ୍ଧିର ପରିଚୟ ଦେଉଛନ୍ତି।
ଏବେ ଜେଏସଡବ୍ଲୁ ଓ ପୋସ୍କୋ ଢେଙ୍କାନାଳ ଓ କେନ୍ଦୁଝରରେ ମେଗା ଷ୍ଟିଲପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି। ଏ ଖବର ଆପଣମାନେ ପାଇସାରିଲେଣି। ଦିନ ଥିଲା କେବଳ ରାଉରକେଲା ଥିଲା ଆମର ଇସ୍ପାତ ନଗରୀ। ଆଜି ଓଡିଶାରେ ଅନେକ ଇସ୍ପାତ ନଗରୀ ହେବାକୁ ଯାଉଛି। ଏହି ସବୁ ଗୁଡିକ ହେବ, ଆମ ସମୃଦ୍ଧିର ଆଧୁନିକ ପ୍ଲାଟଫର୍ମ।
କେବଳ ପାରମ୍ପରିକ ଇସ୍ପାତ ଓ ଖଣିଜ ଶିଳ୍ପ ନୁହେଁ, ପେଟ୍ରୋକେମିକାଲ୍ସ, ନବୀକରଣୀୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ରଶିଳ୍ପ, ଫାର୍ମା, ଆଇଟି ଓ ଲଜିଷ୍ଟିକ୍ସ ପରି ଶିଳ୍ପାୟନର ସମସ୍ତ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି।
ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀ ଓଡ଼ିଶାରେ ନିବେଶ କରୁଛନ୍ତି, କାରଣ ସେମାନେ ଏଠାରେ ସୁଯୋଗ ଦେଖୁଛନ୍ତି, ସ୍ଥିରତା ଦେଖୁଛନ୍ତି ଓ ସ୍ୱଚ୍ଛ ଶାସନରେ ଆସ୍ଥା ରଖୁଛନ୍ତି। ଏବେ ପ୍ରସିଦ୍ଧ ସେମିକଣ୍ଡକ୍ଟର ମାନୁଫାକ୍?ଚରିଂ ୩ଡି ଗ୍ଲାସ୍ ସଲ୍ୟୁସନ୍ ଓଡିଶାରେ ତା’ର ୟୁନିଟ୍ ଆରମ୍ଭ କରିଛି। ପୂର୍ବରୁ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଓ ସିକେସମ୍ ଭଳି ସେମିକଣ୍ଡକ୍ଟର କମ୍ପାନୀ ପାଇଁ ମଧ୍ୟ ଶିଳାନ୍ୟାସ ହୋଇଛି। ଇଏ ହେଉଛି ଆମ ଭବିଷ୍ୟତର ଶିଳ୍ପ। ଆତ୍ମ ନିର୍ଭର ଭାରତର ଶିଳ୍ପ।
ସେମିକଣ୍ଡକ୍ଟର ସହିତ ଇଲେକ୍ଟ୍ରୋନିକ୍ସ, ଗ୍ରୀନ ଏନର୍ଜି, ଡାଟା ସେଣ୍ଟର, ଆଧୁନିକ ଉତ୍ପାଦନ ଓ ନୂଆ ଭିତ୍ତିଭୂମିରେ ବିଶାଳ ନିବେଶ ଆସୁଛି।
ଆମ ସରକାରଙ୍କ ୨ ବର୍ଷ ପୂରିବା ପୂର୍ବରୁ ଆମେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛୁ। କେବଳ ପ୍ରସ୍ତାବ ନୁହେଁ, ୨.୮୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିର ଶିଳାନ୍ୟାସ ଓ ଉଦ୍?ଘାଟନ ହୋଇଛି, ଯାହାଦ୍ୱାରା ପ୍ରାୟ ୨ ଲକ୍ଷରୁ ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିଛି।
ଆମ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ - ଏମିତି ଏକ ନିବେଶ ପରିବେଶ ସୃଷ୍ଟି କରିବା, ଯେଉଁଠାରେ ଶିଳ୍ପ ବଢ଼ିବ, ଲୋକ ଲାଭାନ୍ୱିତ ହେବେ ଓ ଯୁବପିଢ଼ି ଚାକିରି ପାଇବେ।
ଆମ ସରକାରଙ୍କ ସବୁଠାରୁ ପ୍ରମୁଖ ଲକ୍ଷ୍ୟ ହେଉଛି, ଯୁବ ସମାଜକୁ ଦକ୍ଷ କରିବା, ସେମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା। ଓଡିଆ ପୁଅ ଝିଅ ଓଡିଶାରେ ପଢିବେ, ଓଡିଶାରେ ଦକ୍ଷହେବେ, ଓଡିଶାରେ ହିଁ ନିଯୁକ୍ତି ପାଇବେ। ଏବଂ କେବଳ ନିଯୁକ୍ତି ନୁହେଁ, ନୂଆ ନୂଆ ଉଦ୍ୟୋଗ ଓ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବେ। ଓଡିଆ ଯୁବକ କେବଳ ନିଯୁକ୍ତି ସନ୍ଧାନକାରୀ ହେବନି, ନିଯୁକ୍ତି ପ୍ରଦାନକାରୀ ହେବେ । ଆଗାମୀ ୧୦ ବର୍ଷ ଆମ ଓଡିଶାର ଯୁବବର୍ଗ ପାଇଁ ଏକ ସୁବର୍ଣ୍ଣ ଦଶକ ହେବ। ସେହି ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ।
ଆମେ ବିଶ୍ୱାସ କରୁଛୁ - ବିକାଶ କେବଳ ସହର ପର୍ଯ୍ୟନ୍ତ ସୀମିତ ହେବା ଉଚିତ ନୁହେଁ। ବିକାଶର ଆଲୋକ ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକ, ପ୍ରତ୍ୟେକ ପଞ୍ଚାୟତ ଓ ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ସେଥିପାଇଁ ଆମ ସରକାର ଏମଏସଏମଇ , ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂସହାୟକ ଗୋଷ୍ଠୀ, କୃଷି ଆଧାରିତ ଉଦ୍ୟମ ଓ ଯୁବ ଉଦ୍ଭାବକମାନଙ୍କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।
ଓଡିଶାର ଯୁବ ବର୍ଗଙ୍କୁ ଉଦ୍ୟୋଗୀ କରିବା ପାଇଁ ଆମର ଷ୍ଟାର୍ଟଅପ ଯୋଜନା ସହିତ ଚଳିତ ବର୍ଷ ଆମେ ‘ଉଦ୍ୟମୀ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏଥିରେ ପ୍ରାୟ ୬ ହଜାର ‘ନାନୋ ଉଦ୍ୟୋଗୀ’ଙ୍କୁ ପ୍ରୋତ୍ସାହନ ଦିଆଯିବ।
ଶିକ୍ଷା ବିନା କୌଣସି ରାଜ୍ୟର ଉନ୍ନତି ସମ୍ଭବ ନୁହେଁ। ସେଥିପାଇଁ ଆମେ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ସରକାରୀ ସ୍କୁଲର ଉନ୍ନତି, ସ୍ମାର୍ଟ କ୍ଲାସରୁମ, ଡିଜିଟାଲ୍ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ, ଉଚ୍ଚଶିକ୍ଷାର ସୁବିଧା ଓ ଦକ୍ଷତା ବିକାଶ ଉପରେ ଆମେ ଜୋର ଦେଉଛୁ।
ଆଇଆଇଟି ଭୁବନେଶ୍ୱର, ଏମ୍ସ ଭୁବନେଶ୍ୱର, ଏନଅଆଇଟି ରାଉରକେଲା, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କୌଶଳ କେନ୍ଦ୍ରମାନେ ଆଜି ଯୁବପିଢ଼ିଙ୍କ ପାଇଁ ନୂଆ ଦିଗ ଖୋଲୁଛନ୍ତି। ଶିକ୍ଷାକୁ ଗୁରୁତ୍ୱ ଦେଇ ଆମେ ଓଡିଶାରେ ୪ଟି ନୂଆ ବିଶ୍ୱବିଦ୍ୟାଳୟ, ୨ଟି ନୂଆ ବିଶ୍ୱ ଦକ୍ଷତା କେନ୍ଦ୍ର, ୨ଟି ନୂଆ ଇଞ୍ଜିନିୟରିଂ କଲେଜ୍, ୪ଟି ମେଡିକାଲ କଲେଜ୍, ୩ଟି ଆୟୁ?ର୍ବେଦିକ କଲେଜ୍ ଓ ୨ଟି ହୋମିଓପାଥିକ କଲେଜ୍ ପ୍ରତିଷ୍ଠା କରିବାକୁ ଯାଉଛୁ।
ଯେତେବେଳେ ଶିଳ୍ପ ଓ ଶିକ୍ଷା ଏକା ସାଥିରେ ଅଗ୍ରସର ହୁଏ, ସେତେବେଳେ ଅର୍ଥନୀତି ଶକ୍ତିଶାଳୀ ହୁଏ। ଯୁବକ ଚାକିରି ପାଏ, ଶିଳ୍ପ ପ୍ରତିଭା ପାଏ, ପରିବାରର ଆୟ ବଢ଼େ ଓ ସମାଜ ସମୃଦ୍ଧ ହୁଏ।
ଆଜି ଯେଉଁମାନେ ଆୱାର୍ଡ ପାଉଛନ୍ତି, ସେମାନେ କେବଳ ସଫଳ ବ୍ୟବସାୟୀ ନୁହେଁ - ସେମାନେ ସମାଜର ପଥପ୍ରଦର୍ଶକ। ଆପଣମାନଙ୍କ ସଫଳତା କାହାଣୀ ଯୁବବର୍ଗମାନଙ୍କୁ ସ୍ୱପ୍ନ ଦେଖିବାର ସାହସ ଦେଉଛି। ଆପଣମାନେ ପ୍ରମାଣ କରିଛନ୍ତି ଯେ ସତ୍ୟନିଷ୍ଠା, ଶୃଙ୍ଖଳା, ପରିଶ୍ରମ ଓ ଧୈର୍ଯ୍ୟ ଥିଲେ ସଫଳତା ନିଶ୍ଚିତ। ଆପଣଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଆପଣ ନିଜେ ସଫଳ ହୋଇଛନ୍ତି, ଆପଣଙ୍କ ସହ ପରିଚୟ ଥିବା ବନ୍ଧୁମାନଙ୍କୁ, ବିଶେଷ କରି ଯୁବ ବର୍ଗଙ୍କୁ ମଧ୍ୟ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ପ୍ରେରଣା ଦେବେ ବୋଲି ମୁଁ ଆଶା କରୁଛି।
ଆଜି କାଲି ଖବର କାଗଜର ସଂବାଦ ପରିବେଷଣ ସହିତ ତାଙ୍କ ଭୂମିକା ମଧ୍ୟ ବଦଳିଛି। ପୂର୍ବେ, ଖବର କାଗଜ କେବଳ ଖବର ପରିବେଷଣ କରୁଥିଲେ। କିନ୍ତୁ, ଆଜି କାଲି ସେମାନେ ଏଜେଣ୍ଡା ସେଟ କରୁଛନ୍ତି। ବିଭିନ୍ନ ଖବର କାଗଜ ଓ ଟେଲିଭିଜନ ନ୍ଯୁଜ ଚାନେଲ ଆଜି କାଲି ବିଭିନ୍ନ ଥିମାଟିକ ପ୍ରସଙ୍ଗ ଉପରେ ସମ୍ମିଳନୀ ରଖୁଛନ୍ତି, ଆଜିର ଆୱାର୍ଡ ଇଭେଂଟ ପରି ଆୱାର୍ଡ ଶୋ ବି ରଖୁଛନ୍ତି ଯାହାଦ୍ୱାରା ସରକାରଙ୍କୁ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଜଣା ପଡିଥାଏ।
ଆନନ୍ଦର କଥା ଆଜି କାଲିର ସୋସିଆଲ ମିଡିଆ ଯୁଗରେ ବି ଛପା ଖବର କାଗଜର ଲୋକପ୍ରିୟତା କମି ନାହିଁ। ନିଶ୍ଚିତ ଭାବେ ଏହା ମେନଷ୍ଟ୍ରିମ୍ ଟିଭି ନ୍ୟୁଜ୍ କୁ ପ୍ରଭାବିତ କରିଛି। କାରଣ ଛପା ଖବର କାଗଜ ଜଣେ ନାଗରିକର ସୁଖ ଦୁଃଖକୁ ପ୍ରତିଫଳିତ କରିଥାଏ।
ପୁଣିଥରେ ମୁଁ ଧରିତ୍ରୀ ଏବଂ ଓରିଶାପୋଷ୍ଟକୁ ଅଭିନନ୍ଦନ ଜଣାଉଛି, କାରଣ ସେମାନେ ଉତ୍କର୍ଷତାକୁ ସମ୍ମାନିତ କରୁଛନ୍ତି ଓ ନୂଆ ପିଢ଼ିକୁ ପ୍ରେରଣା ଦେଉଛନ୍ତି। ଗଣମାଧ୍ୟମ ସମାଜର ଦର୍ପଣ, ଏବଂ ଉନ୍ନତିର ସକାରାତ୍ମକ କାହାଣୀକୁ ଆଗକୁ ନେବାରେ ଏହାର ଭୂମିକା ଅପରିସୀମ।ଆସନ୍ତୁ, ସରକାର, ଶିଳ୍ପଜଗତ, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ ଓ ସାଧାରଣ ନାଗରିକ ସମସ୍ତେ ଏକାସାଥିରେ ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ଶକ୍ତିଶାଳୀ ଓଡ଼ିଶା ଗଢ଼ିବା।
ଓଡ଼ିଶାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଲୋକଙ୍କ ସାମୂହିକ ପ୍ରୟାସରେ ଆମ ରାଜ୍ୟ ନୂଆ ଉଚ୍ଚତାକୁ ସ୍ପର୍ଶ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା