




ସୁବର୍ଣ୍ଣପୁର, ୨୩ ଏପ୍ରିଲ୍ (ହି.ସ.)- ସୋନପୁର ସ୍ଥିତ ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ କନକ୍ଳେଭ୍ ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ଭିନ୍ନଭିନ୍ନ ବୌଦ୍ଧିକ ମଣ୍ଡଳରୁ ଅନେକ ଆଲୋଚକ,ବୁଦ୍ଧିଜୀବୀ, ଗବେଷକ, ପରିବେଶବିତ୍, ଲେଖକ, ଶିକ୍ଷାବିତ୍, ଲୋକ କଳାକାର ଓ ବହୁ ବରିଷ୍ଠ ସାମ୍ବାଦିକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତିନୋଟି ଆଲୋଚନା ଚକ୍ରରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ, ପ୍ରସିଦ୍ଧ ଜାତୀୟ ସ୍ତରର ପରିବେଶ ସାମ୍ବାଦିକ ତଥା 'ଡାଉନ୍ ଟୁ ଆର୍ଥ' ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର, ଓଡ଼ିଶାର ଜଳପୁରୁଷ ରଞ୍ଜନ ପଣ୍ଡା, ପ୍ରତିଷ୍ଠିତ ସମ୍ବଲପୁର ଆଇଆଇଏମ ର ଅଧ୍ୟାପକ ସୁଜିତ୍ ପୃଷେଠ୍ ଆଲୋଚକ ଏବଂ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ଆଲୋଚନାଚକ୍ରର ପରିଚାଳକ ଭାବେ ଯୋଗ ଦେଇଥିଲେ l ଏହି କନକ୍ଳେଭ୍ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ଯୋଗଦେଇ ଏହି ଜଳବାୟୁ ପରିବର୍ତ୍ତନ ଏକ ସାର୍ବଜନୀନ ସମସ୍ୟା ବୋଲି ମତ ରଖି ଏ ନିଷ୍ପତ୍ତି କେବଳ ସାଂସଦ ଗୃହ ଭିତରେ ନ ରହୁ ବୋଲି କହିଥିଲେ l ଶିଳ୍ପ ଗଢ଼ି ଉଠିବା ପରେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି କହି କୋଭିଡ଼ ମହାମାରୀ ସମୟରେ ୭୦ ଭାଗ ଶକ୍ତି ସଂରକ୍ଷଣ ଓ ବହୁମାତ୍ରାରେ ଜଳ ସଂରକ୍ଷଣ ସହ ସାରା ଦେଶରେ ପୃଥିବୀରେ ଆପେ ଆପେ ସଚେତନତା ଓ ସ୍ଵଚ୍ଛତା ଆଡ଼କୁ ଲୋକେ ମୁହାଁଇ ବାକୁ ବାଧ୍ୟ ହୋଇଥିଲେ ବୋଲି ଉଦାହରଣ ଦେଇଥିଲେ ଓ ଜଳ ଶକ୍ତି ସଂରକ୍ଷଣ ଦିଗରେ ପରିବେଶ ସୁରକ୍ଷା ଦିଗରେ ଓ ସ୍ୱଚ୍ଛତା ଦିଗରେ ସେଭଳି ଆମେ ଯଦି ଗୁରୁତ୍ଵର ସହ ଚିନ୍ତା ନ କରିବା ତାହାଲେ ଆଗାମୀ ଶହେ ବର୍ଷ ପରେ ଏ ପୃଥିବୀ ଥିବ ଆମେ ଥିବା କିନ୍ତୁ ଆମ ଏ ମଣିଷ ସବୁ ବିକଳାଙ୍ଗ ହୋଇ ସାରି ଥିବା ବୋଲି ଡ. ସାହୁ କହିଥିଲେ । ଅନୁଷ୍ଠାନର ସହ ପ୍ରତିଷ୍ଠାତା ଶ୍ରୀମତୀ ଆଭା ପୁଝାରୀ ମଧ୍ୟ ସଭାରେ ଯୋଗ ଦେଇଥିଲେ। ରିଚାର୍ଡ ମହାପାତ୍ର ତାଙ୍କର ଭାଷଣରେ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ଵ ସ୍ତରୀୟ ଦୃଷ୍ଟିକୋଣ ଏବଂ ମହାନଦୀର ପ୍ରଦୂଷଣ ତଥା ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।
ଦ୍ଵିତୀୟ ଆଲୋଚନାଚକ୍ର ଜଳବାୟୁ ପରିବର୍ତ୍ତନ ଏବଂ ମାନବର ଭବିଷ୍ୟତରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର୍ ଅତିଥି ଆଲୋଚକ ତଥା ପରିବେଶବିତ୍ ରଞ୍ଜନ ପଣ୍ଡାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କଲେ, ପ୍ରତି ଉତ୍ତରରେ ଶ୍ରୀ ପଣ୍ଡା ଜଳବାୟୁ ପରିବର୍ତ୍ତନରେ ସଂସ୍କାର ପାଇଁ ଅନ୍ଧ ଭାବରେ ବୃକ୍ଷରୋପଣ ନକରି ଜୈବ ବିବିଧତାକୁ ବଜାୟ ରଖିବାକୁ ତର୍କ କରିଥିଲେ। ଏଥି ସହିତ ସେ ପ୍ରକୃତିରୁ ସଂସ୍କୃତିର ଲୋକମାନସରେ ବିଚ୍ଛିନ୍ନତା ଏବଂ ମାନସିକ ସ୍ତରରେ ଯୁବ ସମାଜର ପ୍ରକୃତି ଠାରୁ ଦୂରତାକୁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ପ୍ରକାଶ କଲେ। ତୃତୀୟ ଆଲୋଚନାଚକ୍ର ଯୁବାବର୍ଗ, ଶିକ୍ଷା ଏବଂ ଜଳବାୟୁ ଉତ୍ତରଦାୟିତ୍ୱରେ ମହାନଦୀ ଧାରା ପ୍ରତିଷ୍ଠାତା, ଅତିଥି ଆଲୋଚକ ଡ. ସୁଜିତ୍ ପୃଷେଠ୍ ଙ୍କୁ ପରିବେଶ ସୁରକ୍ଷାରେ ଯୁବବର୍ଗର ଦାୟିତ୍ଵ ସମ୍ପର୍କରେ ଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଡ. ପୃଷେଠ୍ ଏହାରି ଉପରେ ଯୁବ ସମାଜର ସୃଜନଶୀଳତା ଏବଂ ଉଦ୍ଭାବନକୁ ଜୋର ଦେଇଥିଲେ। ଏଥି ସହିତ ସେ ଅର୍ଥନିତିକ ଅସମାନତା, ଲିଙ୍ଗଗତ ବୈଷମ୍ୟତା ଆଦିକୁ ଜଳବାୟୁ ଉତ୍ତରଦାୟିତ୍ୱରେ ପ୍ରତିବନ୍ଧକ ବୋଲି ଦର୍ଶାଇ ଥିଲେ। ମଣିଷର ଅଜ୍ଞାନତା ଓ ରାଜନୈତିକ ଆନ୍ଦୋଳନର ଅଭାବ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ବୋଲି କହିଥିଲେ l ଶେଷରେ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଏବଂ ଅନ୍ୟ ଦର୍ଶକ ଅତିଥି ବକ୍ତା ମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଶିକ୍ଷୟତ୍ରୀ ପ୍ରିୟଙ୍କାରାଣୀ ନେଗୀ ସଭା ପରିଚାଳନା କରିଥିଲେ। ଶେଷରେ ଜଣାଶୁଣା ଲୋକ କଳାକାର ଦିଲ୍ଲୀପ ଦୀପ ଏବଂ ତାଙ୍କର ସାଥୀ କଳାକାର ଘୁଡକା ବାଦ୍ୟର ତାଳେ ତାଳେ ପରିବେଶ ସୁରକ୍ଷା ଉପରେ ସ୍ବରଚିତ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ