

ମାଲକାନଗିରି , ୨୩ ଏପ୍ରିଲ୍ (ହି.ସ.) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ୧୫ ରୁ ୧୯ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ବିଭାଗ ସମ୍ମୁହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଓ କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ପ୍ରେରଣାରେ ଏହି ପାଞ୍ଚଦିନିଆ ଉତ୍ସବ ଆୟୋଜିତ ହୋଇଥିଲା।
ପ୍ରଥମ ଦିନ ସୁବର୍ଣ୍ଣ ଜୟନ୍ତୀ ପତାକା ଉତ୍ତୋଳନ ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ‘ବି-କ୍ୱିଜ୍’, ‘ତହକିକାତ’ ଓ ‘ୱାନ୍ ମିନିଟ୍ ଏକ୍ସପ୍ରେସ୍’ ପରି ବିଭିନ୍ନ ବ୍ୟବସାୟିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୮୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ନିଜ ଜ୍ଞାନ, ତ୍ୱରିତ ଚିନ୍ତନ ଓ ଅଭିବ୍ୟକ୍ତି କୌଶଳ ପ୍ରଦର୍ଶନ କରିଥିଲେ।
ପରେ ପୂର୍ବତନ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଦ୍ୱାରା ବୈଜ୍ଞାନିକ ପାଣ୍ଡୁଲିପି ଲେଖନୀ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସେ ଆଧୁନିକ ବ୍ୟବସାୟ ପରିବେଶ, ନେତୃତ୍ୱ ଓ କ୍ୟାରିୟର ଗଠନ ସମ୍ପର୍କରେ ଉପଦେଶ ଦେଇଥିଲେ। ଏହାପରେ ‘ଆଡ୍-ମ୍ୟାଡ୍ ଶୋ’ ଓ ‘ଆଇଡିଆ ହ୍ୟାକାଥନ୍’ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୃଜନଶୀଳ ବ୍ୟବସାୟ ଧାରଣା ପ୍ରଦର୍ଶନ କରିଥିଲେ।
ଦ୍ୱିତୀୟ ଦିନ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ଗଙ୍ଗା ପ୍ରସାଦ ପଣ୍ଡାଙ୍କ ସ୍ମୃତିରେ ସ୍ମାରକୀ ଆଲୋଚନା ସଭା ଆୟୋଜିତ ହୋଇଥିଲା। ଡ଼ଃ ଶକ୍ତି ରଞ୍ଜନ ଦାଶ ସ୍ୱାଗତ ଭାଷଣ ଦେଇ ପଣ୍ଡାଙ୍କ ଜୀବନ ଓ ଅବଦାନ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ପ୍ରଫେସର ରୁଦ୍ର ପ୍ରସନ୍ନ ମହାପାତ୍ର ଓ ପ୍ରଫେସର ଗୌରୀ ଶଙ୍କର ଲାଲ ମଧ୍ୟ ତାଙ୍କର ଶିକ୍ଷାଦାନର ନିଷ୍ଠା ଉପରେ ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ଯୋଗଦେଇ ଗୁରୁଜନଙ୍କ ଅବଦାନ ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ବିଷୟରେ କହିଥିଲେ।
ତୃତୀୟ ଦିନ ସ୍ୱର୍ଗତ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କ ସ୍ମୃତିରେ ବକ୍ତୃତା ଆୟୋଜିତ ହୋଇଥିଲା। ଚାଟାର୍ଡ ଆକାଉଣ୍ଟାଣ୍ଟ ଭଗବାନ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅର୍ଥନୀତିକ ବିଷୟ ଉପରେ ଆଲୋଚନା କରିଥିଲେ।
ଚତୁର୍ଥ ଦିନ ସୁବର୍ଣ୍ଣ ଜୟନ୍ତୀର ସଭା ଓ ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଦ୍ୱାରା ସ୍ମୃତିଚିହ୍ନ ପ୍ରତିମା ଉଦଘାଟିତ ହୋଇ ଥିଲା। ଡ଼ଃ ମହେଶ୍ୱର ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଡ଼ଃ ଶକ୍ତି ରଞ୍ଜନ ଦାଶ ବିଭାଗର ୫୦ ବର୍ଷର ଯାତ୍ରା ଉପରେ ବିବରଣୀ ଦେଇଥିଲେ।
ଏହି ଅବସରରେ ମାଲକାନଗିରିର ପୂର୍ବତନ ଛାତ୍ରୀ ଓ ପକ୍ଷୀ ସଂରକ୍ଷକ ଦୀପାରାଣି ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ବାଲୁକା କଳାରେ ବିଶ୍ୱବିଦ୍ୟାଳୟର ୫୦ ବର୍ଷର ଯାତ୍ରାକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଥିଲା ଏବଂ ଏକ ଡକ୍ୟୁମେଣ୍ଟାରୀ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଉତ୍ସବର ସମାପନୀ ଦିନରେ ଛାତ୍ରଛାତ୍ରୀଙ୍କୁ ନୈତିକତା, ନିଷ୍ଠା ଓ ସେବାମୂଳକ ମନୋଭାବ ଅନୁସରଣ କରି ଜୀବନରେ ସଫଳତା ଲାଭ କରିବାକୁ ପ୍ରେରିତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ