
ଝାରସୁଗୁଡ଼ା, ୨୩ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ବିଡିଓ ଅଶୋକ ମାଝୀଙ୍କୁ ପଦୋନ୍ନତି ସହ ବଦଳି କରାଯାଇ ଝାରସୁଗୁଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏହି ଆଦେଶ ଆଜି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।
ଏହା ପୂର୍ବରୁ, ବିଡିଓ ଅଶୋକ ମାଝୀଙ୍କ ବିରୋଧରେ ଅସହଯୋଗ ଅଭିଯୋଗ ଆଣି ବିଜେଡି କର୍ମୀମାନେ କୋଲାବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆୟୋଜନ କରିଥିଲେ। ସେମାନେ ଚେତାବନୀ ଦେଇଥିଲେ ଯେ, ଏପରି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ତଥାପି, ଏହି ଘଟଣାର ମଧ୍ୟରେ ହଠାତ୍ ଶ୍ରୀ ମାଝୀଙ୍କ ବଦଳି ଆଦେଶ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରିକି, ବର୍ତ୍ତମାନ ଝାରସୁଗୁଡ଼ାର ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ବାମନଘାଟି ରାଇରଙ୍ଗପୁରକୁ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବିଡିଓଙ୍କ ଏହି ବଦଳିକୁ ନେଇ ବିରୋଧୀ ବିଜେଡି ଶିବିରରେ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ