କୋଲାବିରାରେ ବିଜେଡିର ବିଶାଳ ପ୍ରତିବାଦ : ବିଡ଼ିଓଙ୍କ କାର୍ଯ୍ୟପ୍ରଣାଳୀ ଉପରେ ତୀବ୍ର ଅସନ୍ତୋଷ
ଝାରସୁଗୁଡ଼ା, ୨୩ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ବିଡ଼ିଓଙ୍କ ମନମୁଖୀ ଶାସନ, ଉନ୍ନୟନ କାର୍ଯ୍ୟରେ ଅବହେଳା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗରେ ଗୁରୁବାର ବିଜେଡି ପକ୍ଷରୁ ଏକ ବିଶାଳ ରେଲି ଓ ଗଣଧାରଣା ଆୟୋଜିତ ହୋଇଥିଲା। ପୂର୍ବତନ ବିଧାୟିକା ଦୀ
କୋଲାବିରାରେ ବିଜେଡିର ବିଶାଳ ପ୍ରତିବାଦ : ବିଡ଼ିଓଙ୍କ କାର୍ଯ୍ୟପ୍ରଣାଳୀ ଉପରେ ତୀବ୍ର ଅସନ୍ତୋଷ


ଝାରସୁଗୁଡ଼ା, ୨୩ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ବିଡ଼ିଓଙ୍କ ମନମୁଖୀ ଶାସନ, ଉନ୍ନୟନ କାର୍ଯ୍ୟରେ ଅବହେଳା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗରେ ଗୁରୁବାର ବିଜେଡି ପକ୍ଷରୁ ଏକ ବିଶାଳ ରେଲି ଓ ଗଣଧାରଣା ଆୟୋଜିତ ହୋଇଥିଲା। ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସ୍ଥାନୀୟ ଲୋକେ କରୁଣାକର ଛକରୁ ବିଭିନ୍ନ ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ପରେ ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ଦୀପାଳି ଦାସ ବିଡ଼ିଓ ଓ ବ୍ଲକ ପ୍ରଶାସନଙ୍କୁ କଠୋର ଭାବେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ବିଡ଼ିଓ ସରକାରୀ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି ଏବଂ ସମଗ୍ର ବ୍ଲକରେ ଉନ୍ନୟନ କାର୍ଯ୍ୟରେ ପାତର ଅନ୍ତର କରାଯାଉଛି। ଗରିବ ଲୋକଙ୍କୁ ଘର ବଣ୍ଟନରେ ଅନ୍ୟାୟ ହେଉଥିବା ସହ ପ୍ରାୟ ୬୦୦ ହିତାଧିକାରୀ ଭତ୍ତା ପାଇଁ ଅପେକ୍ଷାରେ ରହିଥିବା ସତ୍ବେ ସେମାନଙ୍କୁ ସୁବିଧା ଦେବାରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କରିଥିଲେ। ସେ ଚେତାବନୀ ଦେଇ କହିଥିଲେ, ଯଦି ବିଡ଼ିଓ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ ନକରନ୍ତି, ତେବେ ବ୍ଲକ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅଚଳ କରାଯିବ।

ଏହି ପ୍ରତିବାଦ ସଭାରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ଉପସଭାପତି ତୁଳାରାମ ସେନାପତି, ବ୍ଲକ ସଭାପତି ପୁରୁଷୋତ୍ତମ ନାଏକ, ମହିଳା ସଭାନେତ୍ରୀ ଜୟନ୍ତୀ ବାହୁକ, ବିନୋଦିନୀ ପଟେଲ, ବୀର ମହାପାତ୍ର, ତୁଲେଶ୍ୱର ପଟେଲ, ଚେତାନନ୍ଦ ପଟେଲ, ଗୁରୁଚରଣ ସାହୁ, ସୁରେନ୍ଦ୍ର ନାଏକ ଓ ଅନ୍ୟମାନେ ଅଭିଭାଷଣ ରଖି ପ୍ରଶାସନର ଅବହେଳା ଉପରେ କଟାକ୍ଷ କରିଥିଲେ।

ଶେଷରେ ବିଡ଼ିଓ ଅଶୋକ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଲୋକଙ୍କ ଯୋଗଦାନ ଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande