
ଚମ୍ପୁଆ, ୨୩ ଏପ୍ରିଲ୍ (ହି.ସ.)- ଚମ୍ପୁଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ହେଉଥିବା ମନରେଗା ଯୋଜନାରେ ଜଙ୍ଗଲ ପରେ ଜଙ୍ଗଲ ଖୋଳା ଚାଲିଛି ଜଳ ସଂରକ୍ଷଣ ଗାତ । ଅଞ୍ଚଳରେ ପଞ୍ଚାୟତ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଚମ୍ପୁଆ ପକ୍ଷରୁ ଜଳ ସଂରକ୍ଷଣ ଗାତ ପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଉଥିବା ବେଳେ ବିଭିନ୍ନ ପଞ୍ଚାୟତରେ ହେଉଥିବା ଏହି ଜଳ ସଂରକ୍ଷଣ ଗାତ ଖୋଳା କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି। ମନରେଗା ଯୋଜନାରେ ଜଙ୍ଗଲ ଜମିରେ ବର୍ଷାଜଳ ସଂରକ୍ଷଣ ପାଇଁ ମୁଖ୍ୟତଃ ଷ୍ଟାଗର୍ଡ କଣ୍ଟୁର ଟ୍ରେଞ୍ଚ ବା ଜଳ ସଂରକ୍ଷଣ ଗାତ ଖୋଳାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ପାହାଡ଼ିଆ ବା ଢାଲୁଆ ଜାଗାରେ ବର୍ଷା ଜଳକୁ ଅଟକାଇ ଭୂତଳ ଜଳସ୍ତର ବୃଦ୍ଧି କରିବା। କିନ୍ତୁ ଚମ୍ପୁଆ ବ୍ଲକ ଏବଂ ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଯୋଜନାର ନିର୍ଦେଶାବଳିକୁ ଫୁ କରି ମିଲିଭଗତରେ ଅଧିକ ମୁନାଫା କମାଇବା ଆଶାରେ ମନ ଇଛା ଯିଏ ଯୁଆଡେ ପାରିଲା ଗାତ ଖୋଳି ନେଉଛନ୍ତି। ସମତଳ ଯାଗା ଠାରୁ ନାଳ ନର୍ଦମା ପର୍ଯ୍ୟନ୍ତ ଯାଗା ଅଯାଗା ସବୁଠି ଗାତ ଖୋଳି ନେବା ସହିତ ସାଧାରଣ ନିୟମାବଳୀକୁ ମଧ୍ୟ ମାନୁ ନ ଥିବାରୁ ଏହି ଜଳ ସଂରକ୍ଷଣ ଗାତ ତା'ର ମୂଳ ଉଦେଶ୍ୟ ଠାରୁ ବିଚ୍ୟୁତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଏହା ଏବେ ହାତୀ ସମେତ ଅନ୍ୟ ବନ୍ୟ ଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି। ଚମ୍ପୁଆ ବନାଞ୍ଚଳର ଚମ୍ପୁଆ, ଉଖୁଣ୍ଡା ସେକ୍ସନ ଅଞ୍ଚଳର ଗୁରୁତ୍ୱପୂର୍ଣ ବିଭିନ୍ନ ଜଙ୍ଗଲରେ ହାତୀ ଚଳାଚଳ ଲାଗି ରହିଥିବା ବେଳେ ଉକ୍ତ ଜଙ୍ଗଲ ଗୁଡିକରେ ବେପରୁଆ ଭାବେ ଜଳ ସଂରକ୍ଷଣ ଗାତ ଖୋଳା ଯାଉଛି। ଏହି ଗାତ ଖୋଳା ସମୟରେ ବିଭାଗୀୟ କୌଣସି ଅଧିକାରୀ ନିୟମ ଅନୁସାରେ ତଦାରଖ କରୁ ନାହାନ୍ତି। ଫଳରେ ଏହି ଗାତ ପାଇଁ ବନ୍ୟଜନ୍ତୁ ମାନେ ଜଙ୍ଗଲରେ ଚଳ ପ୍ରଚଳ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଏହି ଜଳ ସଂରକ୍ଷଣ ଗାତର କୌଣସି ଆବଶ୍ୟକତା ନ ଥିବା ସ୍ଥାନ ଗୁଡିକରେ ମଧ୍ୟ ଗାତ ଖୋଳି ଦିଆଯାଉଛି। ନିୟମ ଅନୁସାରେ, ଗାତ ଖୋଳା କାର୍ଯ୍ୟ ହେଉ ନଥିବାରୁ ଉକ୍ତ ସ୍ଥାନ ମାନଙ୍କରେ ଉଠୁ ଥିବା ନୂତନ ଚାରା ବୃକ୍ଷ ଗୁଡିକ ନଷ୍ଟ ହେଉଛି। ଯାହା ଜଙ୍ଗଲର ସୁରକ୍ଷା ପ୍ରତି ଧର୍ମକୁ ଆଖିଠାର ସଦୃଶ୍ୟ ହେଉଥିବା ବେଳେ ଏହାକୁ ନେଇ ପରିବେଶ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ମନରେଗା କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବିଭିନ୍ନ ପଞ୍ଚାୟତରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ନେଇ ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta