
ପୁରୀ, ୨୩ ଏପ୍ରିଲ୍ (ହି.ସ.)- ପୁରୀ ଭିଆଇପି ରୋଡ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶାସନ ଦଳ ତରଫରୁ ଗତ କିଛି ଦିନ ତଳେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିରୋଧୀ ଦଳ ବିଶେଷକରି କଂଗ୍ରେସ ଦଳର ଭୂମିକା ବିଷୟରେ ଅପପ୍ରଚାର ରୋକିବା ପାଇଁ ସାମ୍ବାଦିକ ମାନଙ୍କ ନିକଟରେ କଂଗ୍ରେସ ଦଳର ମହିଳା ସଂରକ୍ଷଣ ସଂପର୍କିତ ଭୁମିକା ବିଷୟରେ ଆଲୋକପାତ କରାଯାଇଥିଲା । ଏଥିରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଯୋଗଦାନ କରିଥିଲେ । ତା' ସହିତ ମଞ୍ଚରେ ପୁରୀ ଜିଲ୍ଲା କଂଗ୍ରେସର ଦୁଇ ପ୍ରମୁଖ ନାରୀ ନେତ୍ରୀ ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର ଏବଂ ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଉତ୍ତମ କୁମାର ଆଚାର୍ଯ୍ୟ ମଞ୍ଚାସୀନ ଥିଲେ । ଏଥିରେ ଇଂ. ମିଶ୍ର ୧୯୮୯ ମସିହାର ତତ୍କାଳୀନ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ସମୟରୁ ପଞ୍ଚାୟତ ଓ ପୌରସଂସ୍ଥାରେ ୩୩ ପ୍ରତିଶତ ମହିଳା ମାନଙ୍କ ପାଇଁ ଆସନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଠାରୁ ଆରମ୍ଭ କରି ବିଭିନ୍ନ କଂଗ୍ରେସ ସରକାର ସମୟରେ ଏହି ବିଷୟରେ ସମସ୍ତ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ତା' ସହିତ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପର୍ଯ୍ୟାଲୋଚନା କରିଥିଲେ । ପ୍ରଥମତଃ ୨୦୨୩ ମସିହାରେ ସଂପୂର୍ଣ୍ଣ ବିରୋଧୀ ଦଳର ସମର୍ଥନରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ୨୦୨୬ ମସିହା ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରାଯାଇନଥିଲା ସେ ବିଷୟରେ ପ୍ରଶ୍ନ କରିଥିଲେ । ତା' ସହିତ ଦୁଇଟି ରାଜ୍ୟ ର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତରବରିଆ ଭାବରେ ପୁନର୍ବାର ମହିଳା ସଂରକ୍ଷଣ ବିଲ୍ କୁ ସୀମା ନିର୍ଦ୍ଧାରଣ ବିଲ୍ ସହିତ ଯୋଡି ନିଜର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ନଥିବା ଜାଣି ମଧ୍ୟ କାହିଁକି ପାରିତ କରିବା ପାଇଁ ଅପଚେଷ୍ଟା କରିଥିଲେ ସେ ବିଷୟରେ ପ୍ରଶ୍ନ କରିଥିଲେ । ଆହୁରି ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯେଉଁଠି ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ, ନିଜେ ଦେଶର ପ୍ରଧାନମନ୍ତ୍ରୀ ନିଜ ପଦ ଗାରିମା ଭୁଲି ସରକାରୀ ଦଳର ଅପବ୍ୟବହାର କରି କଂଗ୍ରେସର ଭୂମିକାକୁ ଜନସାଧାରଣଙ୍କ ସମ୍ମୁଖରେ ଅସତ୍ୟ ପରିବେଶଣ କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ନିର୍ବାଚନ କମିଶନଙ୍କ ନିରବତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ମତପ୍ରକାଶ କରିଥିଲେ । ସୁରେଶ କୁମାର ରାଉତରାୟ ଏହି ସମ୍ମିଳନୀରେ ବିଜେପି ଦଳର ମହିଳା ମାନଙ୍କ ଆସନ ସଂରକ୍ଷଣ ବାବଦରେ ବିଭିନ୍ନ ସମୟରେ ଦୋହରା ଗତିକୁ ତୀବ୍ର ସମାଲୋଚନା କରିଥିଲେ। ସେ ମଧ୍ୟ ନାରୀ ମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ କଂଗ୍ରେସ ଦଳର ଅବଦାନ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ।
ଏହି ସଭାରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସମସ୍ତ କାର୍ଯ୍ୟକର୍ତ୍ତା ନିମନ୍ତ୍ରିତ ସଦସ୍ୟ ତଥା ବିଭିନ୍ନ ସାମୁଖ୍ୟର ମୁଖ୍ୟ, ଯୁବ ଛାତ୍ର କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ