
ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ରାଷ୍ଟ୍ରୀୟ
ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ପଞ୍ଚାୟତିରାଜ
ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ହେଲେ ଆମକୁ ସ୍ଥାନୀୟ ପ୍ରଶାସନରେ ସ୍ୱଚ୍ଛତା, ଦାୟିତ୍ୱବୋଧ
ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ବାର୍ତ୍ତାରେ କେଭି ସିଂହଦେଓ କହିଛନ୍ତି ଯେ, ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସ ଅବସରରେ ସମସ୍ତ
ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ଏହି ବିଶେଷ ଦିନରେ ଆମେ ଏପରି ଏକ ସଂକଳ୍ପ ନେବା ଉଚିତ
ଯାହା ଦ୍ୱାରା ଦେଶ ତଥା ରାଜ୍ୟର ବିକାଶ ଧାରା ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ ହୋଇପାରିବ।
କେଭି ସିଂହଦେଓ କହିଛନ୍ତି
ଯେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ହେଲେ ଆମକୁ ସ୍ଥାନୀୟ ପ୍ରଶାସନରେ
ସ୍ୱଚ୍ଛତା, ଦାୟିତ୍ୱବୋଧ
ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାକୁ ପ୍ରାଧାନ୍ୟ ଦେବାକୁ ହେବ। ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ
ଜଳ ଏବଂ ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଯେତେବେଳେ ଆମର ପଞ୍ଚାୟତ ପ୍ରତିନିଧିମାନେ
ଶକ୍ତିଶାଳୀ ହେବେ, ସେତେବେଳେ ହିଁ ପ୍ରକୃତ ବିକାଶ ସମ୍ଭବ ହେବ। ଏଥିସହ ଗ୍ରାମସଭା
ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ଶୁଣିବା ଏବଂ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ
ପ୍ରକ୍ରିୟାରେ ସାମିଲ କରିବା ଦ୍ୱାରା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଆହୁରି ଗଭୀର ହୋଇପାରିବ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ସମସ୍ତଙ୍କ ସହଯୋଗ ଏବଂ ନିଷ୍ଠାପର ଉଦ୍ୟମ ହିଁ ଏକ ସମୃଦ୍ଧ, ସ୍ୱାବଲମ୍ବୀ
ଏବଂ ଆତ୍ମନିର୍ଭର ଭାରତ ଗଠନର ମାର୍ଗ ପ୍ରଶସ୍ତ କରିବ। ତୃଣମୂଳ ସ୍ତରରୁ ଏହି ଶକ୍ତିକରଣ ହିଁ
ଦେଶକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାର ପ୍ରକୃତ ଚାବିକାଠି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା