ମଙ୍ଗଳପୁର ବାଘଡେଗା ନାଳ ପୋଲ ନିର୍ମାଣରେ ଅନିୟମିତତା ଅଭିଯୋଗ
ଚମ୍ପୁଆ, ୨୭ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଠାରୁ ପଡୁଆ, ଭୂଇଁପୁର, ଉଖୁଣ୍ଡା ଓ ବାରିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଏବେ ବିବାଦ ଘେରରେ। ଏହି ରାସ୍ତାର ପଡ଼ୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ବାଘଡେଗା ନାଳ ଉପରେ ଚାଲିଥି
ମଙ୍ଗଳପୁର ବାଘଡେଗା ନାଳ ପୋଲ ନିର୍ମାଣରେ ଅନିୟମିତତା ଅଭିଯୋଗ


ଚମ୍ପୁଆ, ୨୭ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଠାରୁ ପଡୁଆ, ଭୂଇଁପୁର, ଉଖୁଣ୍ଡା ଓ ବାରିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଏବେ ବିବାଦ ଘେରରେ। ଏହି ରାସ୍ତାର ପଡ଼ୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ବାଘଡେଗା ନାଳ ଉପରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ସରକାରୀ ନିୟମ ଅନୁଯାୟୀ, ଯେକୌଣସି ସରକାରୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏକ ସୂଚନା ଫଳକ ଲଗାଯିବା ବାଧ୍ୟତାମୂଳକ। ଏହି ଫଳକରେ ପ୍ରକଳ୍ପର ବ୍ୟୟ ଅଟକଳ, କାର୍ଯ୍ୟ ଆରମ୍ଭ, କାର୍ଯ୍ୟ ଶେଷ ହେବା ଅବଧି ଏବଂ ଠିକାଦାରଙ୍କ ବିଷୟରେ ସବିଶେଷ ତଥ୍ୟ ରହିବା କଥା। ମାତ୍ର ବାଘଡେଗା ନାଳ ପୋଲ ନିର୍ମାଣରେ ଠିକାଦାର ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଅନ୍ଧାରରେ ରଖି କାମ କରାଯାଉଥିବାରୁ ପୋଲର ସ୍ଥାୟିତ୍ଵକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

କେବଳ ସୂଚନା ଫଳକ ନୁହେଁ, ବରଂ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ବିଧିବଦ୍ଧ ଭାବେ ସରକାରୀ ଅର୍ଥର ହରିଲୁଟ୍ କରିବା ପାଇଁ ଯୋଜନା ଚାଲିଛି। କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ନ ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ପୋଲ କାମଟି କେତେ ଟଙ୍କା ଅନୁଦାନରେ ନିର୍ମାଣ କରାଯାଉଛି, କେଉଁ ଠିକା ସଂସ୍ଥା କାମ କରୁଛି, ସେ ବିଷୟରେ କିଛି ଜଣାପଡୁନାହିଁ। କାମ ମଧ୍ୟ ଅତି ନିମ୍ନମାନର ହେଉଛି। ଯଦି ଏହାର ଉଚ୍ଚସ୍ତରୀୟ ତଦନ୍ତ ନ ହୁଏ, ତେବେ ଆଗକୁ ପୋଲର ସ୍ଥାୟିତ୍ଵ ନେଇ ବିପଦ ରହିବ। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କାମର ଗୁଣବତ୍ତା ଯାଞ୍ଚ କରାଯିବା ସହ ସୂଚନା ଫଳକ ନ ଲଗାଇ କାମ କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande