
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ଗତ ୨୪ ତାରିଖ ଦିନ ସମ୍ୱଲପୁରର ରେଙ୍ଗାଲି ଠାରେ ଜେଏସଡବ୍ଲୁ ଓ ଜାପାନର ଜେଏଫଇ ଷ୍ଟିଲ୍ ମଧ୍ୟରେ ଏକ ଜଏଂଟ ଭେନ୍ଚର୍ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି ମଧ୍ୟ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜାପାନର ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା । ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦରେ ରାଷ୍ଟ୍ରଦୂତ ଖୁବ୍ ଆନନ୍ଦିତ ହୋଇଥିଲେ । ବିଶେଷକରି, ‘ଡାଲମା’ର ସ୍ୱାଦ ତାଙ୍କୁ ଖୁବ୍ ଭଲ ଲାଗିଥିଲା । କାର୍ଯ୍ୟକ୍ରମ ପରେ ସେ ତାଙ୍କର ସୋସିଆଲ ମେଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ ଲେଖିଛନ୍ତି ଯେ, ‘‘ଓଡ଼ିଶାରେ ଡାଲମାର ସ୍ୱାଦକୁ ଖୁବ୍ ଉପଭୋଗ କଲି । ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଓଡ଼ିଶାର ଉନ୍ନତ ରନ୍ଧନ କଳାର ଏକ ସୁନ୍ଦର ପ୍ରତିଫଳନ ।’’
ରାଷ୍ଟ୍ରଦୂତ ମିଷ୍ଟର ଓନୋ’ଙ୍କର ଏହି ମନ୍ତବ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ରାଷ୍ଟ୍ରଦୂତ ଓନୋ’ଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲ’ରେ ଲେଖିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ସ୍ୱାଦକୁ ଏତେ ଭଲ ପାଇଥିବାରୁ ଅନେକ ଧନ୍ୟବାଦ ଆମ୍ୱାସାଡର ‘ଓନୋ ସାନ୍’ (ମିଷ୍ଟର ଓନୋ) ।
ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଡାଲମା କେବଳ ଆମ ଖାଦ୍ୟ ପରମ୍ପରାର ଅଂଶ ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ । ଏହି ମତପ୍ରକାଶ କରିବା ସହିତ ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ସାଂସ୍କୃତିକ ସମନ୍ୱୟ ଆଗାମୀ ଦିନରେ ଆମର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା