
ପୁରୀ, ୧୧ ମଇ (ହି.ସ.)- ଆଜି ଅପରାହ୍ନ ୪ଟାରେ ରତ୍ନଭଣ୍ଡାର ଗଣତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି | ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସଓପି) ଆଧାରରେ ତା ୨୫.୩.୨୦୨୬ ରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟ।ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଘଣ୍ଟା ୮ ମିନିଟ୍ ରତ୍ନଭଣ୍ଡାର ଗଣତି ହୋଇସାରିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ସଂପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ବଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ/ମାଜିଷ୍ଟ୍ରେଟ୍/ଅଧିକାରୀଙ୍କ ଉପସ୍ଥିତିରେ କରାଯାଉଅଛି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତା୨୦.୦୪.୨୦୨୬ରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଏବଂ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ୨୧ ଦିନର ବହୁଳ ନୀତି କାନ୍ତି ପରିପାଳନ ନିମନ୍ତେ ବନ୍ଦ ରହିଥିଲା । ପୁନରାୟ ତା୧୧.୦୫.୨୦୨୬ରିଖ ଏବଂ ତା୧୨.୦୫.୨୦୨୬ରିଖ ଦୁଇ ଦିନ ପର୍ଯ୍ୟନ୍ତ ଗଣତି ଚାଲୁ ରହିବ । ତା୧୧.୦୫.୨୦୨୬ରିଖରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ଗଣତି ମହାପ୍ରଭୁଙ୍କ ଜାତ ଭୋଗ ଏବଂ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ । ଏଣୁ ଅପରାହ୍ନ ପାଖାପାଖି ୪ଟା ଠାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଠାରୁ ଭକ୍ତ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ । କଡା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନ ମାନଙ୍କରେ ଧାର୍ଯ୍ୟ ସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ଠାରୁ କରାଯିବ ।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପୂର୍ବପରି ସଂପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ଼ଃ. ଅରବିନ୍ଦ ପାଢ଼ୀ ।
ପରବର୍ତ୍ତୀ ଗଣତି ଦିନ ଗୁଡିକ ସମ୍ବନ୍ଧରେ ସୂଚନା, ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ।
ହିନ୍ଦୁସ୍ଥାନ ସମାଚାର / ବିଜୟ