ଗୁଳୁଦିପଶି ବଡ଼ବନ୍ଧରେ ଗାଧୁଆ ଘାଟ ପ୍ରହସନ : ଗାଧୁଆ ଘାଟ ନା ମରଣଯନ୍ତା
ଚମ୍ପୁଆ, , 14 ମେ (ହି.ସ.) ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ବ୍ଲକରେ ଅଧିକାରୀଙ୍କ ମନମାନି ଏବଂ ମାରଣନୀତି ଯୋଗୁଁ ଅନୁଦାନ ଅର୍ଥ ହରିଲୁଟ ହେଉଥିବାରୁ ଯୋଜନାର ବିପରୀତ ପ୍ରତିଫଳନ ଦେଖି
ଗୁଳୁଦିପଶି ବଡ଼ବନ୍ଧରେ ଗାଧୁଆ ଘାଟ ପ୍ରହସନ : ଗାଧୁଆ ଘାଟ ନା ମରଣଯନ୍ତା


ଚମ୍ପୁଆ, , 14 ମେ (ହି.ସ.) ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ବ୍ଲକରେ ଅଧିକାରୀଙ୍କ ମନମାନି ଏବଂ ମାରଣନୀତି ଯୋଗୁଁ ଅନୁଦାନ ଅର୍ଥ ହରିଲୁଟ ହେଉଥିବାରୁ ଯୋଜନାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳୁଛି। ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଳକ, କାଶୀପାଳ ପଞ୍ଚାୟତରେ।

ସୂଚନା ଅନୁଯାୟୀ, କାଶୀପାଳ ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପୋଷି ଗ୍ରାମର ବଡବନ୍ଧରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୫-୨୬, ଅଟକଳ ମୂଲ୍ୟ ତିନି ଲକ୍ଷ କୋଡିଏ ହଜାର ଛଅ ଶହ ପଚିଶ ଟଙ୍କା ଅନୁଦାନରେ ଏକ ଗାଧୁଆ ଘାଟ ନିର୍ମାଣ କରା ଯାଇଅଛି। ଏହି ଗାଧୁଆ ଘାଟର କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଚମ୍ପୁଆ ରହିଥିବା ବେଳେ ସୁଚନା ଫଳକରେ ଏହାର କାର୍ଯ୍ୟାରମ୍ଭ ତାରିଖ ୨୦-୨-୨୦୨୬ ରହିଛି, କିନ୍ତୁ କାର୍ଯ୍ୟର ଶେଷ ତାରିଖ ଲେଖା ଯାଇନାହିଁ । ତେବେ ଏହି ଗାଧୁଆ ଘାଟ ଅତି ନିମ୍ନମାନର ହୋଇଥିବାରୁ ଏହାର ସ୍ଥାଇତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତା ସହିତ ଏହା ଏକ ଗାଧୁଆ ଘାଟ ନୁହେଁ ତ ମରଣ ଯନ୍ତା ନିର୍ମାଣ କରା ଯାଇଛି । ଏହି ଘାଟର ପାହାଚ ଏମିତି ତିଆରି ହୋଇଛି ଯେ ଉପର ପାହାଚ ରେ ପାଦ ଦେଉ ଦେଉ ସିଧା ଯାଇ ପାଣିରେ ପଡ଼ିବାର ସମ୍ଭାବନା ରହିଛି। ଯାହା ଫଳରେ ଏହି ଘାଟରେ ଗାଧୋଇବାକୁ ଯାଇଥିବା ଲୋକ ସୁରକ୍ଷିତ ଭାବେ ଘରକୁ ଫେରିବ କି ହାତ ଗୋଡ଼ ଭାଙ୍ଗି ଡାକ୍ତରଖାନାକୁ ଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ସହିତ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସଲାସୁତରା଼ରେ ପକେଟ ଗରମ କରୁଥିବାରୁ ଏପରି କାର୍ଯ୍ୟ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷେ ଏହି ଗୁଳୁଦିପଶି ବଡ଼ ବନ୍ଧ ଚମ୍ପୁଆ ବ୍ଲକ ପ୍ରଶାସନୀକ ଅଧିକାରୀ ଓ ଠିକାଦାରଙ୍କ ଚରାଭୂଇଁ ପାଲଟିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମବାସୀଙ୍କ ସାମାଜିକ କ୍ରିୟା କର୍ମ ଠାରୁ ନେଇ ଯେକୌଣସି ଭଲମନ୍ଦ କାର୍ଯ୍ୟ ପାଇଁ ଉକ୍ତ ବନ୍ଧ ଏକମାତ୍ର ସାହା ଭରସା ଥିବାବେଳେ ବନ୍ଧର ସୁରକ୍ଷା, ଉର୍ନ୍ନତିକରଣ ପାଇଁ ବ୍ଲକ ପ୍ରଶାସନ କୌଣସି ଦୃଷ୍ଟି ନ ଦେଇ ବନ୍ଧରେ କେବଳ ଗାଧୁଆ ଘାଟ ନିର୍ମାଣ କରି ଅନୁଦାନ ଟଙ୍କା ହଡପ କରାଯାଉଛି। ବନ୍ଧ ପଙ୍କରେ ଭର୍ତ୍ତି ହୋଇ ଗଲାଣି କିନ୍ତୁ ଦୀର୍ଘ ବର୍ଷ ଧରି ପଙ୍କ ଉଦ୍ଧାର ହୋଇ ପାରୁନାହିଁ । ବନ୍ଧକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଲୋକେ କାଦୁଅ ପଚ ପଚରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ବେଳେ ଉକ୍ତ ବନ୍ଧରେ ଆବଶ୍ୟକ ନ ଥାଇ ଗୋଟିଏ ପରେ ଗୋଟିଏ କରି ସାତଟି ଗାଧୁଆ ଘାଟ ନିର୍ମାଣ ହୋଇ ସାରିଲାଣି। ନୂତନ ଭାବେ ନିର୍ମାଣ କରାଯାଇଥିବା ଘାଟ ମଣିଷ ମାରିବା ପାଇଁ ନିର୍ମାଣ କରାଯାଇଛି। କାର୍ଯ୍ୟ ସମୟରେ ଉପସ୍ଥିତ ନ ରହି କେବଳ ବନ୍ଧରେ ଗାଧୁଆ ଘାଟ ନିର୍ମାଣ ଆଳରେ ବିଭାଗୀୟ ଅଧିକାରୀ ମାନେ ଯୋଜନାବଦ୍ଧ ଭାବେ ଠିକାଦାର ମାନଙ୍କ ସହ ମିଶି ବାରମ୍ବାର ଅନୁଦାନ ଟଙ୍କାକୁ ହରିଲୁଟ କରିଛନ୍ତି। ଏଠାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣ କରି ଯେନ ତେନ ପ୍ରକାରେ କାମ ସାରିଦେଇ ଅନୁଦାନ ଟଙ୍କାକୁ ଚଳୁ କରିଥିବାରୁ ଏହା ଉପରେ ଉଚ୍ଚକର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବୀ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande