
ଗାନ୍ଧୀ ଛକ-ବ୍ରଜରାଜନଗର ରାସ୍ତା କାମରେ ଅବ୍ୟବସ୍ଥା
ନିମ୍ନମାନର କାର୍ଯ୍ୟ ଯୋଗୁଁ ବଢ଼ୁଛି ଦୁର୍ଘଟଣା ଆଶଙ୍କା
ଝାରସୁଗୁଡା , 14 ମେ (ହି.ସ.) ବ୍ରଜରାଜନଗରସ୍ଥିତ ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀ ଛକ ଠାରୁ ବ୍ରଜରାଜନଗର ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ଉନ୍ନତିକରଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସଂପୃକ୍ତ ଠିକା ସଂସ୍ଥା ମନମୁଖୀ ଭାବେ କାମ କରୁଥିବା ଅଭିଯୋଗ ହୋଇଥିବାବେଳେ କାମର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଅନୁସାରେ, ସିମେଣ୍ଟ କଂକ୍ରିଟ ରାସ୍ତା କାମରେ ଆବଶ୍ୟକ ମାତ୍ରାରେ ପାଣି ଦିଆଯାଉ ନାହିଁ। କେବଳ ଗୋଟିଏ ଦିନ ପାଣି ଦେଇ ଫଟୋ ଉଠାଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଠାଯାଉଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏପଟେ ରାସ୍ତା ଚଉଡ଼ା କାମ ଚାଲିଥିବା ସତ୍ତ୍ୱେ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯାଇନାହିଁ ଓ ମଝିରେ ଥିବା ବଡ଼ ବଡ଼ ଗଛ ମଧ୍ୟ କଟାଯାଇନଥିବାରୁ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହେଉଛି। ବିଶେଷ କରି ଦୁଇଚକିଆ ଯାନ ଚାଳକମାନେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖାଯାଉଛି।
ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିଲେ ମଧ୍ୟ ସେଗୁଡ଼ିକର ମରାମତି କରାଯାଉ ନାହିଁ। ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ଗତ ରବିବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଓଡି ୦୨ ସିଏ ୧୭୩୦ ନମ୍ବର ବିଶିଷ୍ଟ ଏକ କାର ବ୍ରଜରାଜନଗରରୁ ଗାନ୍ଧୀ ଛକ ଅଭିମୁଖେ ଯାଉଥିବା ବେଳେ ଖଲିଆକାନି ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଚାଳକ ଓ କାରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଏହି ପରିସ୍ଥିତି ପ୍ରତି ପୂର୍ତ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେଇ ଦୁର୍ଘଟଣା ରୋକିବା ସହ ଉନ୍ନତମାନର ରାସ୍ତା କାମ ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ