କନ୍ଧମାଳର ବିଶିଷ୍ଟ ସଙ୍ଗୀତଜ୍ଞ ଓ ଯୁବ କଣ୍ଠଶିଳ୍ପୀ ଅସିତ୍ ନନ୍ଦ
କନ୍ଧମାଳ, ୧୨ ମଇ (ହି.ସ.)- କନ୍ଧମାଳ ମାଟିର କଳା ଓ ସଂସ୍କୃତିକୁ ନିଜ ସୁମଧୁର କଣ୍ଠଦାନ ମାଧ୍ୟମରେ ଋଦ୍ଧିମନ୍ତ କରିଛନ୍ତି ଜିଲ୍ଲାର ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଅସିତ୍ କୁମାର ନନ୍ଦ, ଆଡସିପଡା ଅଞ୍ଚଳରେ ରହୁଥିବା ଜୟ ପ୍ରକାଶ ନନ୍ଦ ଓ କୁନ୍ତୀ ନନ୍ଦଙ୍କ ସୁପୁତ୍ର ଅସିତ୍, ବାପା ଜଣେ ଅବସରପ୍ରାପ୍ତ ଶିକ୍
ଫୋଟ


କନ୍ଧମାଳ, ୧୨ ମଇ (ହି.ସ.)- କନ୍ଧମାଳ ମାଟିର କଳା ଓ ସଂସ୍କୃତିକୁ ନିଜ ସୁମଧୁର କଣ୍ଠଦାନ ମାଧ୍ୟମରେ ଋଦ୍ଧିମନ୍ତ କରିଛନ୍ତି ଜିଲ୍ଲାର ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଅସିତ୍ କୁମାର ନନ୍ଦ, ଆଡସିପଡା ଅଞ୍ଚଳରେ ରହୁଥିବା ଜୟ ପ୍ରକାଶ ନନ୍ଦ ଓ କୁନ୍ତୀ ନନ୍ଦଙ୍କ ସୁପୁତ୍ର ଅସିତ୍, ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି। ଅସିତ୍ କେବଳ ଜଣେ ଉଚ୍ଚକୋଟିର ଗାୟକ ନୁହନ୍ତି ବରଂ ସେ ଜଣେ ଦକ୍ଷ ସଂଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବେ କନ୍ଧମାଳ ଜିଲ୍ଲା ଏବଂ ରାଜ୍ୟରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ ‘ଇଲେକ୍ଟ୍ରୋ ହୋମେଓପାଥି’ରେ ଡିଗ୍ରୀ ହାସଲ କରିଥିଲେ ହେଁ, ପିଲାଟି ଦିନରୁ ସଂଗୀତ ଥିଲା ତାଙ୍କ ଜୀବନର ମୁଖ୍ୟ ବ୍ରତ। ସେ ଶାସ୍ତ୍ରୀୟ ସଂଗୀତରେ ‘ସଂଗୀତ ବିଶାରଦ’ ଶିକ୍ଷା ସମାପ୍ତ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଗୁରୁ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ବେଳେ, ପରବର୍ତ୍ତୀ ସମୟରେ ବେତାର ଓ ଦୂରଦର୍ଶନର ପ୍ରତିଷ୍ଠିତ ଗୁରୁ ରାଜେନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ନିଜର ସାଧନା ଜାରି ରଖିଛନ୍ତି। ତାଙ୍କର ଏହି ଅତୁଳନୀୟ ପ୍ରତିଭା ପାଇଁ ସେ ବିଭିନ୍ନ ସମୟରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୦୫ ମସିହାରେ ରାଜ୍ୟସ୍ତରୀୟ ସ୍ମାର୍ଟ ଆୱାର୍ଡ଼, ୨୦୦୭ରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ପରିଷଦ ସମ୍ମାନ, ୨୦୧୩ରେ ବନାନୀ ସାରସ୍ୱତ ସମ୍ମାନ ଏବଂ ୨୦୧୯ରେ ରାଷ୍ଟ୍ରୀୟ କଳାମଞ୍ଚ ସମ୍ମାନ ତାଙ୍କ ଶିଳ୍ପୀ ଜୀବନର ଶ୍ରେଷ୍ଠତା ପ୍ରତିପାଦନ କରେ। ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଟିଭି ଚ୍ୟାନେଲ ଯଥା- ପ୍ରାର୍ଥନା, ତରଙ୍ଗ ମ୍ୟୁଜିକ୍, କଳିଙ୍ଗ ଟିଭି ଓ ନ୍ୟୁଜ-୭ ଭଳି କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିତିଛନ୍ତି। ୨୦ରୁ ଉର୍ଦ୍ଧ୍ୱ କ୍ୟାସେଟ ଓ ୟୁଟ୍ୟୁବ୍ ଗୀତରେ ସେ କଣ୍ଠଦାନ କରିବା ସହ ୧୦ରୁ ଉର୍ଦ୍ଧ୍ୱ ଗୀତରେ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଶେଷ କରି କନ୍ଧମାଳ ମାଟିକୁ ନେଇ ତାଙ୍କର ତିନୋଟି ଜନପ୍ରିୟ ଗୀତ ‘ପ୍ରେୟସୀ ମୋ ଫୁଲବାଣୀ’, ‘କନ୍ଧମାଳ ରଜା’ ଏବଂ ‘ମୋ କନ୍ଧମାଳ ହସୁଛି’ ଶ୍ରୋତାଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି। ନିଜେ ଜଣେ ଶିଳ୍ପୀ ହେବା ସହ ସେ ନୂତନ ପିଢ଼ିକୁ ମଧ୍ୟ ସଂଗୀତ ଶିକ୍ଷା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ତାଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରୁଛନ୍ତି। “ସାରା ଜୀବନ ସଂଗୀତର ଜଣେ ଛାତ୍ର ହୋଇ ରହିବାରେ ହିଁ ପ୍ରକୃତ ଆନନ୍ଦ ମିଳେ” ବୋଲି ଅସିତ୍ ପ୍ରକାଶ କରିଛନ୍ତି। ଜଣେ ନିଷ୍ଠାପର ସଂଗୀତ ସାଧକ ଭାବେ ତାଙ୍କର ଏହି ଯାତ୍ରା କନ୍ଧମାଳବାସୀଙ୍କ ପାଇଁ ଗର୍ବର ବିଷୟ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande