
ଝାରସୁଗୁଡ଼ା, 27 ମେ (ହି.ସ.)
ଅଗଷ୍ଟ ୨୧ରୁ ୨୩ ପର୍ଯ୍ୟନ୍ତ ବିଶେଷ ଲୋକ ଅଦାଲତରେ ବିଚାରାଧୀନ ମାମଲାର ସମାଧାନ
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା ପକ୍ଷରୁ ‘ସମାଧାନ ସମାରୋହ-୨୦୨୬’ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରୟାସରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ବିଶେଷ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ବିଚାରାଧୀନ ମାମଲାର ଆପୋଷ ସମାଧାନ କରାଯିବ ।
ଏହି ସମାଧାନ ପ୍ରକ୍ରିୟାରେ ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ-ଅଧିଗ୍ରହଣ ସମ୍ପର୍କିତ ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଆପୋଷ ବୁଝାମଣା ଯୋଗ୍ୟ ମାମଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ପ୍ରକ୍ରିୟା ଓ ଉଭୟ ପକ୍ଷଙ୍କ ସମ୍ମତି ଆଧାରରେ ମାମଲାର ସମାଧାନ କରାଯିବ । ରାଜ୍ୟ, ଜିଲ୍ଲା, ତାଲୁକ ଓ ଉଚ୍ଚ ନ୍ୟାୟାଳୟ ସ୍ତରର ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ରରେ ବୈଠକ ଆୟୋଜିତ ହେବ । ପ୍ରଶିକ୍ଷିତ ମଧ୍ୟସ୍ଥି ଓ ଅଧିକାରୀମାନେ ପକ୍ଷଗୁଡ଼ିକୁ ଆଲୋଚନା ଓ ସମ୍ମତି ମାଧ୍ୟମରେ ସମାଧାନରେ ପହଞ୍ଚିବାକୁ ସହଯୋଗ କରିବେ ।
ସମ୍ପୃକ୍ତ ପକ୍ଷମାନେ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ଉପଲବ୍ଧ ଗୁଗୁଲ ଫର୍ମ ପୂରଣ କରି ନିଜ ମାମଲାକୁ ଏହି ସମାଧାନ ପ୍ରକ୍ରିୟାରେ ସାମିଲ କରିପାରିବେ । ସବିଶେଷ ସୂଚନା ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା ଜାତୀୟ ହେଲ୍ପଲାଇନ ନମ୍ବର ୧୫୧୦୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଏହି ସଚେତନତା ଅଭିଯାନ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତ ଅଡିଓ କ୍ଲିପ୍କୁ ଭ୍ରାମ୍ୟମାଣ ଗାଡି ମାଧ୍ୟମରେ ପ୍ରଚାର କରାଯାଉଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ