
ବ୍ୟାପକ ଶ୍ରମିକ ଛଟେଇ ଏବଂ ଆର୍ଥିକ ସଙ୍କଟ ଯୋଗୁଁ ବାଲେଶ୍ୱରର ଜଣେ ଶ୍ରମିକ ତନ୍ମୟ ସେନଙ୍କ ଆତ୍ମହତ୍ୟା ଅତ୍ୟନ୍ତ ନିନ୍ଦନୀୟ
'ବିଜେଡି-କେନ୍ଦ୍ରିକ' ମାନସିକତା ଦ୍ୱାରା ପ୍ରଭବିତ ଏକ ଅମଲା ତାନ୍ତ୍ରିକ ଵ୍ୟଵସ୍ଥା ସରକାରଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରୁଛି: ବିଏମଏସ ରାଜ୍ୟ ସଭାପତି
ଭୁବନେଶ୍ୱର, 27 ମଇ (ହି.ସ.) ଭାରତୀୟ ମଜଦୁର ସଂଘ ଓଡ଼ିଶା ନେତୃତ୍ୱରେ, ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଦଶମ ପହଞ୍ଚିଛି । ତଥାପି, ଓଡ଼ିଶା ଶ୍ରମ ମନ୍ତ୍ରଣାଳୟ ଏବଂ ଏହାର ସମ୍ପୃକ୍ତ ବିଭାଗଗୁଡ଼ିକ 'ଉଦାସୀନତାର ନିଦ୍ରାରେ' ରହିଛନ୍ତି। ଆଜି ଏକ କଡ଼ା ବିବୃତ୍ତି ଜାରି କରି, ଭାରତୀୟ ମଜଦୁର ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ ମହାରଣା ଏହି ପ୍ରସଙ୍ଗରେ ଶ୍ରମ ବିଭାଗର ନିଷ୍କ୍ରିୟତା ଏବଂ ନୀରବତା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ, ପ୍ରତିଷ୍ଠିତ ନିୟମ ଏବଂ ପ୍ରୋଟୋକଲ ଅନୁସାରେ, ଶ୍ରମ ବିଭାଗ ଦ୍ୱିପାକ୍ଷିକ କିମ୍ବା ତ୍ରିପାକ୍ଷିକ ଆଲୋଚନାକୁ ସହଜ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବା ଉଚିତ ଥିଲା; ତଥାପି, ବିଭାଗର ନିରବତା ପ୍ରମାଣ କରୁଛି ଯେ ଏହା ଶ୍ରମିକମାନଙ୍କ ସ୍ୱାର୍ଥରେ ନାହିଁ, କେବଳ ପୁଞ୍ଜିପତି ଏବଂ ଶିଳ୍ପପତିଙ୍କ ସପକ୍ଷବାଦୀ ପ୍ରତୀତ ହେଉଛି।
ଶ୍ରୀ ମହାରଣା କହିଛନ୍ତି, ଏପରି ଆଲୋଚନା ସଫଳ ଫଳାଫଳ ଆଣିବ କି ନାହିଁ ତାହା ଏକ ଦ୍ୱିତୀୟ ବିଷୟ। ତଥାପି, ଆଲୋଚନା ଆରମ୍ଭ କରିବାରେ ବିଫଳତା ଦର୍ଶାଉଛି ଯେ ଶ୍ରମ ବିଭାଗ ଏହାର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଯାଉଛି। ଓଡ଼ିଶା ସରକାରଙ୍କ ଏହି ଦାୟିତ୍ୱହୀନ ମନୋଭାବ ଯୋଗୁଁ, ବର୍ତ୍ତମାନ ସମଗ୍ର ଦେଶର ଶ୍ରମିକମାନଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ରହିଛି ଏବଂ ଓଡ଼ିଶାର ଏହି ଆନ୍ଦୋଳନ ସମର୍ଥନ ରେ ଦେଶର ବିଭିନ୍ନ କୋଣରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।
ଛଟେଇ ଓ ଶ୍ରମିକଙ୍କ ଆତ୍ମହତ୍ୟା: ଓଡ଼ିଶା ସରକାର 'ଶହୀଦ ତନ୍ମୟ ସେନ'ଙ୍କୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ
ବାଲେଶ୍ବରର ଜଣେ ସହକର୍ମୀ ତନ୍ମୟ ସେନଙ୍କ ଆତ୍ମହତ୍ୟା ଉପରେ ଭାରତୀୟ ମଜଦୁର ସଂଘ ଗଭୀର ଦୁଃଖ ଏବଂ କ୍ଷୋଭ ପ୍ରକାଶ କରିଛି। ବ୍ୟାପକ ଛଟେଇ ଯୋଗୁଁ, ଅନେକ ଶ୍ରମିକଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଦୟନୀୟ ହୋଇପଡ଼ିଛି। ଏହି ମାନସିକ ଚାପ ଏବଂ ଆର୍ଥିକ ଚାପ ହିଁ ତନ୍ମୟ ସେନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ତନ୍ମୟ ସେନଙ୍କୁ 'ଶ୍ରମିକ ଅଧିକାର ଆନ୍ଦୋଳନର ଶହୀଦ' ଘୋଷଣା କରି ବିଏମଏସ କହିଛି ଯେ ଜଣେ ଗରିବ ଶ୍ରମିକ ପ୍ରାଣ ହରାଇଥିବା ବେଳେ, ସରକାରଙ୍କ ଶ୍ରମ ବିଭାଗ ସମ୍ପୂର୍ଣ୍ଣ ନୀରବ ରହିଛି। ଏହି ଆଚରଣ କେବଳ ନିନ୍ଦନୀୟ ନୁହେଁ ବରଂ ସମ୍ପୂର୍ଣ୍ଣ ଦାୟିତ୍ୱହୀନତା କୁ ପରିପ୍ରକାଶ କରୁଛି।
' ଅମଲାତନ୍ତ୍ରୀଙ୍କ ପୁରୁଣା ବିଜେଡି ସରକାର ମାନସିକତା'; ବିଜେପି ସରକାରଙ୍କ ଭାବମୂର୍ତ୍ତି କୁ କ୍ଷୁର୍ଣ୍ଣ କରୁଛି
ରାଜ୍ୟର ପ୍ରଶାସନିକ କଳ ଉପରେ ସିଧାସଳଖ ଆକ୍ରମଣ କରି ରାଜ୍ୟ ସଭାପତି ଶ୍ରୀ ବାଦଲ ମହାରଣା ଦୃଢ଼ ଭାବରେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଅନେକ ସଚିବ ପୂର୍ବ ବିଜେଡି ପ୍ରଶାସନର ମାନସିକତା ଏବଂ କାର୍ଯ୍ୟ ସଂସ୍କୃତି ଦ୍ୱାରା ଅଦ୍ୟାବଧି ପ୍ରଭାଵିତ ଅଛନ୍ତି, ଫଳତ ବର୍ତ୍ତମାନର ଲୋକପ୍ରିୟ ସରକାରଙ୍କ କାର୍ଯ୍ୟକ୍ଷମ ସ୍ୱଚ୍ଛତା ଏବଂ କାର୍ଯ୍ୟ ଗତି ଶିଥିଳ ହେଉଛି। ଅମଲାତନ୍ତ୍ରୀଙ୍କ ପୁରୁଣା ମାନସିକତା ଓ ମନୋଭାବ ରାଜ୍ୟ ସରକାରଙ୍କ ସାର୍ବଜନୀନ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି।
ସେ କହିଛନ୍ତି ଯେ, ବିଏମଏସର ପ୍ରମୁଖ ଦାବି ମଧ୍ୟରେ ତୁରନ୍ତ ଦ୍ୱିପାକ୍ଷିକ କିମ୍ବା ତ୍ରିପାକ୍ଷିକ ଆଲୋଚନା: ଶ୍ରମ ବିଭାଗକୁ ବିଳମ୍ବ ନକରି ସମସ୍ତ ପ୍ରାସଙ୍ଗିକ ବିଭାଗ, ଶିଳ୍ପ ପରିଚାଳନା ଏବଂ ବିଏମଏସ ପ୍ରତିନିଧିମାନଙ୍କୁ ନେଇ ଅର୍ଥପୂର୍ଣ୍ଣ ଦ୍ୱିପାକ୍ଷିକ କିମ୍ବା ତ୍ରିପାକ୍ଷିକ ଆଲୋଚନା ଆରମ୍ଭ କରିବା ଆବଶ୍ୟକ।ସେହିପରି ତୁରନ୍ତ ଛଟେଇ ବନ୍ଦ ହେଉ: ଶ୍ରମିକଙ୍କ ବେଆଇନ ଏବଂ ବ୍ୟାପକ ଛଟେଇ ଉପରେ ତୁରନ୍ତ ସ୍ଥଗିତ ରଖାଯିବା ଉଚିତ ଏବଂ ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉ। ବ୍ୟାପକ ଶିଳ୍ପାୟନକୁ ଆଖିରେ ରଖି ସ୍ବଚ୍ଛ ଶ୍ରମ ନୀତି ଅଣାଯାଉ।
ସେହିପରି ଶ୍ରମିକ ପୋର୍ଟାଲ ମାଧ୍ୟମରେ ଛୋଟ ବଡ଼ ସମସ୍ତ କାର୍ଯ୍ଯର ନିରୀକ୍ଷଣ, ବେତନ ଓ ସମସ୍ତ ସୁବିଧା ପ୍ରଦାନ ଭବିଷ୍ୟ ନିଧି ଇପିଏଫ ଓ ଇଏସଆଇ ଉପରେ ନଜର ରଖା ଯାଉ। ଶିଳ୍ପାୟନ ପ୍ରଭାଵିତ 70 ପ୍ରତିଶତ ଚାକିରୀ ସ୍ଥାନୀୟ ଯୁବକଙ୍କୁ ରାଜ୍ୟର ଯେ କୌଣସି ସ୍ଥାନରେ ଦିଆଯାଉ। ଏଜେନ୍ସୀ ମାନଙ୍କୁ ହଟେଇ ଏଜେନ୍ସି କମିଶନ ବନ୍ଦ କରି ହରିଆଣା ପାର୍ଟନରେ ମଜଦୂର ପୋର୍ଟାଲ ମାଧ୍ୟମରେ ନିଯୁକ୍ତି ଦିଆଯାଉ।ସ୍ଥାୟୀ ପ୍ରକୃତି କାମକୁ ଚିହ୍ନଟ କରି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ।
ସହିଦ ତନ୍ମୟ ସେନଙ୍କ ପରିବାର ପାଇଁ କ୍ଷତିପୂରଣ: ମୃତ ବାଲେଶ୍ବରର ଶ୍ରମିକ ତନ୍ମୟ ସେନଙ୍କ ଆଶ୍ରିତମାନଙ୍କୁ 1 କୋଟି କ୍ଷତିପୂରଣ ପ୍ରଦାନ କରାଯିବା ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବା ଉଚିତ।
ଏକ ଦାୟିତ୍ୱବାନ କେନ୍ଦ୍ରୀୟ ଶ୍ରମ ସଂଗଠନ ଭାବରେ, ଭାରତୀୟ ମଜଦୁର ସଂଘ ସରକାରଙ୍କୁ ସୂଚିତ କରୁଛି ଯେ ଯଦି ଏହି ଦିଗରେ ଶୀଘ୍ର ଠୋସ୍ ଏବଂ ସକାରାତ୍ମକ ପଦକ୍ଷେପ ନିଆ ନ ଯାଏ, ତେବେ ଏହି ଆନ୍ଦୋଳନ ଅଧିକ ତୀବ୍ର ଏବଂ ଆକ୍ରମଣାତ୍ମକ ଆନ୍ଦୋଳନରେ ପରିଣତ ହେବ - ଯାହା ପାଇଁ ଓଡ଼ିଶା ସରକାର ଏବଂ ଏହାର ଶ୍ରମ ବିଭାଗ ସମ୍ପୂର୍ଣ୍ଣ ଦାୟି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ