ଭିଜିଲାନ୍ସ ଜାଲରେ ଚମ୍ପୁଆ ଯୋଗାଣ ଅଧିକାରୀ: ଧାନ କିଣା ପଛରେ ଦୁର୍ନୀତିର ଗନ୍ଧ : ସମିତି ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବୀ
ଚମ୍ପୁଆ, ୨୭ ମେ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଧାନ କିଣା କାରବାରରେ ପିସି (ଲାଂଚ) ନେବା ବେଳେ ଚମ୍ପୁଆ ଉପଖଣ୍ଡ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ବୁଧବାର ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭ
ଭିଜିଲାନ୍ସ ଜାଲରେ ଚମ୍ପୁଆ ଯୋଗାଣ ଅଧିକାରୀ: ଧାନ କିଣା ପଛରେ ଦୁର୍ନୀତିର ଗନ୍ଧ : ସମିତି ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବୀ


ଚମ୍ପୁଆ, ୨୭ ମେ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଧାନ କିଣା କାରବାରରେ ପିସି (ଲାଂଚ) ନେବା ବେଳେ ଚମ୍ପୁଆ ଉପଖଣ୍ଡ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ବୁଧବାର ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭୂଇଁପୁର ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ହିରାମୋହନ ନାଏକଙ୍କଠାରୁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ମାଡ଼ି ବସିଛି।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଜୋର ଧରିଛି। ଏହି ଗିରଫଦାରୀ ପରେ ଚାଷୀମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଆମେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କଲୁ, କଷ୍ଟ ଅର୍ଜିତ ଧାନ ଦେଲୁ, ଧାନର ସରକାରୀ ଟଙ୍କା ସିଧାସଳଖ ଆମ ବ୍ୟାଙ୍କ ପାସବୁକକୁ ଆସିଲା। ଯଦି ସବୁ ପ୍ରକ୍ରିୟା ସ୍ୱଚ୍ଛ ଥିଲା, ତେବେ ଭୂଇଁପୁର ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ହିରାମୋହନ ନାଏକ ଏତେ ଅଧିକ ଲାଭ କଲେ କେମିତି ? ଏହା ପଛରେ ଏକ ବଡ଼ ର୍ୟାକେଟ୍ କାମ କରୁଥିବା ଚାଷୀମାନେ ସନ୍ଦେହ କରୁଛନ୍ତି। ଚାଷୀ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଭୂଇଁପୁର ସମବାୟ ସମିତି ପରିଚାଳନା ନିର୍ଦେଶକ ଚାଷୀମାନଙ୍କ ଟୋକନ ଅନୁସାରେ ଆସିଥିବା ଧାନରୁ ପ୍ରାୟ ୩୦% ରୁ ୪୦% ଧାନ କାଟି ରଖିଥିଲେ। ଅର୍ଥାତ ଚାଷୀଙ୍କଠାରୁ ଟୋକନ ଅନୁଯାୟୀ ଧାନ ନ ନେଇ କମ୍ ଧାନ କ୍ରୟ କରିବା ବେଳେ କାଗଜପତ୍ରରେ ଅଧିକ ଦେଖାଇ ମୋଟା ଅଙ୍କର ମୁନାଫା କମାଇଥିଲେ। ଚାଷୀଙ୍କୁ ଶୋଷଣ କରି ସମିତି ପରିଚାଳନା ନିର୍ଦ୍ଦେଶକ କରିଥିବା ଏହି ବେଆଇନ ଲାଭରୁ ହିଁ ଚମ୍ପୁଆ ଉପଖଣ୍ଡ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁ ନିଜର ଭାଗ ବା ଲାଂଚ ଦାବି କରିଥିଲେ।

ଯୋଗାଣ ଅଧିକାରୀ ଶ୍ରୀ ମୁର୍ମୁ ବାରମ୍ବାର ୧୫ ହଜାର ଟଙ୍କା ଲାଂଚ ମାଗିବାରୁ ଏନେଇ ସମିତି ପରିଚାଳନା ନିର୍ଦ୍ଦେଶକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ବୁଧବାର ଯେତେବେଳେ ହିରାମୋହନଙ୍କଠାରୁ ଯୋଗାଣ ଅଧିକାରୀ ଟଙ୍କା ନେଉଥିଲେ, ସେତିକି ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତେବେ କେବଳ ଯୋଗାଣ ଅଧିକାରୀ ନୁହେଁ, ବରଂ ଲାଂଚ ଦେଉଥିବା ସମିତି ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଚାଷୀଙ୍କ ଧାନ କିଣା ଦୁର୍ନୀତିରେ ସମାନ ଭାବେ ଜଡ଼ିତ ବୋଲି ଅଭିଯୋଗ ହେଉଛି। ତେଣୁ କେବଳ ଜଣେ ଅଧିକାରୀଙ୍କୁ ଗିରଫ କରି ଭିଜିଲାନ୍ସ ଚୁପ୍ ନ ବସି ପରିଚାଳନା ନିର୍ଦେଶକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଚାଷୀଙ୍କ କହିବା ଅନୁସାରେ, ଭୂଇଁପୁର ସମବାୟ ସମିତିର ପରିଚାଳନା ନିର୍ଦେଶକ ହିରାମୋହନ ନାଏକ ଯିଏ କି ଚାଷୀଙ୍କ ୩୦% ରୁ ୪୦% ଧାନ କାଟି ମାଲାମାଲ ହୋଇଛନ୍ତି, ତାଙ୍କୁ ମଧ୍ୟ ଏହି ଦୁର୍ନୀତି ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ ଭୁକ୍ତ କରାଯାଉ। ଚାଷୀଙ୍କ ସହ ହୋଇଥିବା ଏହି ବଡ଼ ପ୍ରତାରଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମହଲରୁ ଦୃଢ଼ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande