
କେନ୍ଦ୍ରାପଡ଼ା ୨୭ ମେ (ହି.ସ.)ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ୭ମ ରାଜ୍ୟ ଯୋଗାସନ ଚାମ୍ପିୟନସିପ୍ ୨୦୨୬–୨୭ ରେ କେନ୍ଦ୍ରାପଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ରାଜ୍ୟରେ ରନର୍ସ ଅପ୍ (ଦ୍ୱିତୀୟ ସ୍ଥାନ) ଅଧିକାର କରିଛି।
ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାରୁ ମୋଟ ୧୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ୯ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଏବଂ ୫ଟି କାଂସ୍ୟ ପଦକ ସହ ମୋଟ ୨୪ଟି ପଦକ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେଥିମଧ୍ୟରୁ ୪ ଜଣ ଖେଳାଳି ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।ଦଳର ସଫଳତାରେ କୋଚ୍ ଭାବେ ପଦ୍ମଲୋଚନ ଦାସ ଏବଂ ମାନସ ରଞ୍ଜନ ଓଝା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବାବେଳେ, ଭରତ କୁମାର ସାହୁ ମ୍ୟାନେଜର ଭାବେ ଖେଳାଳିମାନଙ୍କୁ ସହଯୋଗ ଓ ଉତ୍ସାହିତ କରିଥିଲେ।ଏହି ଅବସରରେ କୃତି ଯୋଗା ଚାମ୍ପିୟାନମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟର ଆଜି ତାଙ୍କ ଅଫିସ କକ୍ଷରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ କହିଥିଲେ ଯେ ଏହି ସଫଳତା ଜିଲ୍ଲାର କ୍ରୀଡା ପ୍ରତିଭା ଓ ନିରନ୍ତର ପରିଶ୍ରମର ପ୍ରତିଫଳ ଏବଂ ଏହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ଯୋଗାସନ ସଂଘର ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ସଞ୍ଜୟ କୁମାର ମହାନ୍ତି ଏବଂ ଉପଦେଷ୍ଟା ସ୍ୱପ୍ନାଂଶୁ କୁମାର ଦାସ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି