




ବଲାଙ୍ଗୀର, ୨୭ ମଇ(ହି.ସ.) – ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋର ପ୍ରଭାବ ନେଇ କରାଯାଇ ଥିବା ଆକଳନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ ଭାବେ କୃଷି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ରଣନୀତି ଉପରେ ଆଲୋଚନା କରାଯାଇଛି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆସନ୍ତା ଋତୁରେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ବିଭାଗ, ଜିଲ୍ଲା କର୍ତୃପକ୍ଷ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ନିଜ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନଗୁଡ଼ିକୁ ଦିଆଯାଇଥିବା ପ୍ରମୁଖ ନିର୍ଦ୍ଦେଶାବଳୀ:
୧. ବିହନ ପରିଚାଳନା ଓ ଜଳବାୟୁ ସହନଶୀଳ କୃଷି
ଅଗ୍ରୀମ ବିହନ ମହଜୁଦ : ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜୁନ୍ ୨୦୨୬ ପ୍ରଥମ ସପ୍ତାହ ସୁଦ୍ଧା ପ୍ରମାଣିତ ବିହନର ସମୟାନୁବର୍ତୀ ବଂଟନ ସୁନିଶ୍ଚିତ କରିବେ, ଯେଉଁଥିରେ ଦୁର୍ଗମ ଏବଂ ସଂକଟାପନ୍ନ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ।
ସ୍ୱଳ୍ପ ଅବଧି ବିଶିଷ୍ଟ କିସମ ଉପରେ ଗୁରୁତ୍ୱ: କମ୍ ବର୍ଷା ଆଶଙ୍କା ଥିବା ଅଂଚଳରେ କର୍ତୃପକ୍ଷ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ସୁନିଶ୍ଚିତ କରିବା ସହ ସ୍ୱଳ୍ପ ଓ ମଧ୍ୟମ ଅବଧି ବିଶିଷ୍ଟ ଧାନ, ଡାଲିଜାତୀୟ, ତୈଳବୀଜ ଏବଂ ମାଣ୍ଡିଆ/କ୍ଷୁଦ୍ର ଶସ୍ୟ (ମିଲେଟ୍) ବିହନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ।
ଫସଲ ବିବିଧକରଣ ଓ ଆପାତକାଳୀନ ବ୍ୟବସ୍ଥା: ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଂଚଳରେ ଫସଲ ବିବିଧକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ଦଳକୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ଆସିବାରେ ବିଳମ୍ବ ହେଲେ 'କମ୍ୟୁନିଟି ନର୍ସରୀ' ବ୍ୟବସ୍ଥା ଗ୍ରହଣ କରାଯିବ।
ବଫର୍ ଷ୍ଟକ୍ (ଜରୁରୀକାଳୀନ ମହଜୁଦ): ଯେକୌଣସି ପାଣିପାଗ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଧାନ, ଡାଲି ଏବଂ ତୈଳବୀଜ ବିହନ ସଂରକ୍ଷିତ ରଖାଯିବ।
୨. ସାର ସୁରକ୍ଷା ଏବଂ କଳାବଜାରୀ ବିରୋଧୀ ପଦକ୍ଷେପ
ଶେଷ ପର୍ଯ୍ୟନ୍ତ ବିତରଣ: ମାର୍କଫେଡ୍, ପ୍ୟାକ୍ସ ଏବଂ ଲ୍ୟାମ୍ପସ ମାଧ୍ୟମରେ ଚାଷୀଙ୍କ ପାଖରେ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରାଯିବ। ବିଶ୍ୱ ବଜାରର ଅନିଶ୍ଚିତତା ସତ୍ୱେ ସାର କମ୍ପାନୀଗୁଡ଼ିକ ଦ୍ୱାରା ସାର ଯୋଗାଣ ଅବ୍ୟାହତ ରହିବ।
ଦୃଢ଼ କାର୍ଯ୍ୟାନୁଷ୍ଠାନ: ସାର ବଂଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାରର କଳାବଜାରୀ, ବେଆଇନ ମହଜୁଦ ଏବଂ ଚାଷ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଗଲେ ସରକାର 'ଶୂନ୍ୟ ସହନଶୀଳତା' ନୀତି ଆପଣେଇବେ।
ମୃତିକା ସ୍ୱାସ୍ଥ୍ୟ: କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ବ୍ୟକ୍ତିଗତ ‘ମୃତିକା ସ୍ୱାସ୍ଥ୍ୟ କାର୍ଡ' ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକ ତତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ।
୩. ଫସଲ ବୀମା ଏବଂ ଆଗ୍ରିଷ୍ଟାକ୍
ବ୍ୟାପକ ଫସଲ ବୀମା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଚାଷୀଙ୍କ ଆର୍ôଥକ ବୋଝ ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଚାଷୀଙ୍କ ଭାଗର ସମ୍ପୂର୍ଣ୍ଣ ପ୍ରିମିୟମ୍(ଚାଷୀ ପ୍ରତି ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ) ନିଜେ ବହନ କରୁଛନ୍ତି, ଯେଉଁଥିପାଇଁ ଆବେଦନକାରୀଙ୍କୁ ମାତ୍ର ୧/- ଟଙ୍କାର ଟୋକନ୍ ଦେୟ ଦେବାକୁ ପଡ଼ିବ।
ବାଧ୍ୟତାମୂଳକ କୃଷକ ପଞ୍ଜୀକରଣ: ଜିଲ୍ଲା ପ୍ରଶାସନକୁ ସେମାନଙ୍କ କୃଷକ ପଞ୍ଜୀକରଣଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନେ ପିଏମ୍-କିସାନ, ସିଏମ୍-କିସାନ ସହାୟତା, ରିହାତି ଦରରେ ସାର/ବିହନ କ୍ରୟ ଏବଂ ସରକାରୀ ଧାନ ସଂଗ୍ରହ(ମଣ୍ଡି)ର ସୁବିଧା ପାଇବା ପାଇଁ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ।
୪. ବୈଷୟିକ ସହାୟତା ଏବଂ କ୍ଷେତ୍ର ସ୍ତରୀୟ ସଚେତନତା
ରିଅଲ୍-ଟାଇମ୍ କୃଷି ପରାମର୍ଶ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏହାର କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସମୟୋପଯୋଗୀ, ଆଂଚଳିକ ଭିତିକ ଏବଂ ପାଣିପାଗ ଆଧାରିତ କୃଷି ପରାମର୍ଶ ପ୍ରଦାନ କରିବ। ଓୟୁଏଟି ରୋଗପୋକ ପରିଚାଳନା ଏବଂ ପ୍ରତିକୂଳ ପରିସ୍ଥିତି ସହନଶୀଳ ଫସଲ କିସମ ପାଇଁ ବୈଷୟିକ ସହାୟତା ମଧ୍ୟ ଯୋଗାଇଦେବ।
ଡିଜିଟାଲ୍ ପ୍ରସାର: ଚାଷୀଙ୍କ ପାଖରେ ବାର୍ତା ପହଂଚାଇବା ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଥିବା ଏଲ୍ଇଡି ସ୍କ୍ରିନଗୁଡ଼ିକରେ କୃଷି ପରାମର୍ଶବଳୀକୁ ପ୍ରମୁଖତାର ସହ ପ୍ରଦର୍ଶିତ କରାଯିବ।
ତୃଣମୂଳ ସ୍ତରୀୟ ସକ୍ରିୟତା: ସମ୍ପୂର୍ଣ୍ଣ ଖରିଫ୍ ଋତୁରେ ଜିଲ୍ଲା ଜରୁରୀକାଳୀନ ଦଳ ସମ୍ପୂର୍ଣ୍ଣ ସକ୍ରିୟ ରହିବେ। କ୍ଷେତ୍ର ଅଧିକାରୀମାନେ ନିୟମିତ ଭାବେ ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ ଏବଂ ଅନାବୃଷ୍ଟି ବା ମରୁଡ଼ି ସଦୃଶ ସ୍ଥିତିର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଓୟୁଏଟି କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ଆଇଏମଡି ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ