
ଜୟପୁର, 27 ମେ (ହି.ସ.) - ଡେଙ୍ଗୁ, ମ୍ୟାଲେରିଆ ଓ ଜ୍ୱର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ଧାଡି ଗ୍ରାମର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଅଧୀନରେ ଥିବା ଚନ୍ଦୁଆ ଗ୍ରାମରେ ଡେଙ୍ଗୁ, ମ୍ୟାଲେରିଆ ଓ ଋତୁକାଳୀନ ଜ୍ୱର ପ୍ରତିରୋଧ ପାଇଁ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁରର ପ୍ରୟାସରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଅଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ଋତୁକାଳୀନ ରୋଗର ଭୟାବହତା ଓ ତାହାର ପ୍ରତିରୋଧ ଉପାୟ ବିଷୟରେ ଜଣାଯାଇଥିଲା। “ଆମ ଗ୍ରାମ, ଆମ ଦାୟିତ୍ୱ” ବାର୍ତ୍ତା ସହ ଲୋକମାନଙ୍କୁ ଘର ଚାରିପାଖ ସଫା ରଖିବା, ଜମା ପାଣି ହଟାଇବା, ମଶାଦାନୀ ବ୍ୟବହାର କରିବା ଏବଂ ଜ୍ୱର ହେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରିବାକୁ ପ୍ରେରିତ କରାଯାଇଥିଲା।
ଗୋଡିହଞ୍ଜେର ଓ ବାଲେଲ ଗ୍ରାମ ପଞ୍ଚାୟତର ଗାଗଡ଼ ସାଥୀ ଏହି ପଥପ୍ରାନ୍ତ ନାଟକକୁ ଜୀବନ୍ତ କରିଥିଲେ। ପାୟଲ ଖୋରା, ବୁନି ବଦନାୟକ, ସବିତା କିର୍ସାନି, ଲକ୍ଷ୍ମୀ ସିସା ଓ ରଶ୍ମିତା ଖିଲ ଙ୍କ ସଶକ୍ତ ଅଭିନୟ ଓ ସଚେତନତାମୂଳକ ସନ୍ଦେଶ ଗ୍ରାମବାସୀଙ୍କୁ ଆକର୍ଷିତ କରିଥିଲା। ଗୀତ ଓ ସଂଳାପ ମାଧ୍ୟମରେ ସେମାନେ ଏକ ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଥିଲେ “ସଚେତନତା ହିଁ ସୁରକ୍ଷା”।
ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, ଶିଶୁ ଏବଂ ବୃଦ୍ଧମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେମାନଙ୍କୁ ପୋଷଣ, ସ୍ୱାସ୍ଥ୍ୟ ସୁରକ୍ଷା ଓ ଋତୁକାଳୀନ ରୋଗ ସମୟରେ କେମିତି ସତର୍କ ରହିବା ଉଚିତ ସେଥିପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଙ୍ଗନୱାଡ଼ି କର୍ମୀ ଶ୍ରୀମତୀ କମଳା ଖେମୁଣ୍ଡୁ, ଆଶା କର୍ମୀ ଶ୍ରୀମତୀ ଦୋମୁଣି ଡାରଲି, ଗ୍ରାମର ଯୁବକମାନେ ଓ ୱାର୍ଡ ସଦସ୍ୟ ଶ୍ରୀ ରାମ ଖିଲଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଅଧିକ ସଶକ୍ତ କରିଥିଲା। ଅନୁଷ୍ଠାନର ଲମତାପୁଟ ବ୍ଲକ ଟିମର ନିରଜ ବେନ୍ୟା ଙ୍କ ସହ ଦୂତିୟା ଗୌଡ଼, ପୁଷ୍ପା ଖରା, ରାଜଲକ୍ଷ୍ମୀ ବେହେରା ଓ ସସ୍ମିତା ପ୍ରଧାନଙ୍କ ନିରନ୍ତର ପ୍ରୟାସ ଓ ସମନ୍ୱୟ ଏହି କାର୍ଯ୍ୟକ୍ରମକୁ ସଫଳତା କରିଥିଲା।
ଗ୍ରାମବାସୀମାନେ ମଧ୍ୟ ଏହି ପ୍ରୟାସକୁ ସ୍ୱାଗତ କରିଥିଲେ ଏବଂ ଆଗାମୀ ଦିନରେ ଗ୍ରାମକୁ ସଫା, ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ସାମୁହିକ ଭାବେ କାମ କରିବାର ସଂକଳ୍ପ ନେଇଥିଲେ। ଏପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ସହ ସାମୁଦାୟିକ ଦାୟିତ୍ୱବୋଧକୁ ଆହୁରି ମଜବୁତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି