
କନ୍ଧମାଳ, ୨୭ ମଇ(ହି.ସ.) – ବିକଶିତ ଭାରତ ପରିପ୍ରେକ୍ଷୀରେ ୨୦୩୬ ମସିହାରେ ବିକଶିତ ଓଡ଼ିଶା ଗଠନ ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ଥିବାବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବର ମହତ୍ୱ ଯଥେଷ୍ଟ ଅଧିକ ରହିଛି। ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳଗୁଡ଼ିକରେ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତା କମାଇବା ଓ ଘରୋଇ ପ୍ରସବକୁ ହ୍ରାସ କରି ଆନୁଷ୍ଠାନିକ ପ୍ରସବ ବଢ଼ାଇବାକୁ ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳଙ୍କ ତରଫରୁ ସ୍ଥାନେ ସ୍ଥାନେ ମା’ ଗୃହ ସ୍ଥାପନ କରାଯାଇଛି। ସେହିପାରି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ କନ୍ଧମାଳଙ୍କ ସହଯୋଗରେ ମଇ ମାସ ୨୦୨୦ ମସିହା ଠାରୁ ଟିକାବାଲି ବ୍ଲକର ଛତିଝାର ଠାରେ ଏକ ମା’ ଗୃହ ପରିଚାଳିତ ହୋଇଆସୁଛି। ଏହି ମା ଗୃହ ଆଜି ତା’ର ଷଷ୍ଠ ବାର୍ଷିକ ପାଳନ କରି ବିକଶିତ ଓଡ଼ିଶା ୨୦୩୬ ପାଇଁ ମା’ ଗୃହର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ। ଏହି ଆଲୋଚନାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଟିକାବାଲିର ଶିଶୁବିକାଶ ଅଧିକାରୀ ସୁନିତାରାଣୀ ଦାସ ଉପସ୍ଥିତ ରହି ୨୦୩୬ ମସିହାରେ ବିକଶିତ ଓଡ଼ିଶା ଦେଖିବା ପାଇଁ ହେଲେ ସମସ୍ତ ପରିବାରର ସମସ୍ତ ବ୍ୟକ୍ତି ସ୍ୱାସ୍ଥ୍ୟ ଓ ପୋଷଣ ସେବା ପାଇବାର ଆବଶ୍ୟକତା ଅଛି ବୋଲି କହିବା ସହିତ ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡ଼ିର ସ୍ୱାସ୍ଥ୍ୟସେବିକା/ସେବକମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ଏଥିସହିତ ଟିକାବଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ୟୋତିରଞ୍ଜନ ଜେନା ଯୋଗଦେଇ ମା’ ଗୃହ ପ୍ରତିଷ୍ଠାରେ ସରକାରଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇ ଥିଲେ ଓ ଅଧିକରୁ ଅଧିକ ଗର୍ଭବତି ମହିଳା ଏହି ସେବା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଯୋଗଦେଇ ଗ୍ରାମାଂଚଳରେ ଥିବା ଅନ୍ଧବିଶ୍ୱାସକୁ ଦୂରେଇ ଗର୍ଭାବସ୍ଥାରେ ବିଭିନ୍ନ ସୁଷମ ଆହାର ସେବନ କରିବା ସହ ଉପଯୁକ୍ତ ବିଶ୍ରାମ ନେବା ଓ ଅନୁଷ୍ଠାନରେ ପ୍ରସବ କରାଇବାକୁ ସଠିକ୍ ସମୟ ପୁର୍ବରୁ ମା’ ଗୃହରେ ଅବସ୍ଥାପିତ ହେବାକୁ ଅନୁରୋଧ କରିଥିଲେ। ସ୍ୱାତୀ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାଣ୍ଡିଆରୁ ମିଳୁଥିବା ପୋଷଣ କିପରି ଗର୍ଭବତୀ ଓ ପ୍ରସୂତିଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସେ ବିଷୟରେ ବୁଝାଇଥିଲେ ଓ ରକ୍ତହୀନତାକୁ ଦୂରେଇବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ଦୁଇଟି ସନ୍ତାନ ମଧ୍ୟରେ ଅନ୍ୟୁନ ତିନିବର୍ଷର ଅନ୍ତର ରଖିବାକୁ ଆହ୍ୱାନ ଦେଇଥିଲେ। ତାଙ୍କର କହିବା ଅନୁଯାଯୀ ଆଜିପର୍ଯ୍ୟନ୍ତ ଏହି ଟିକାବାଲି ମା ଗୃହରେ ଆଡ୍ମିଶନ୍ ନେଇ ୨୧୧୨ ଜଣ ଗର୍ଭବତୀ ସେବା ପାଇଛନ୍ତି। ସେବା ପାଇଥିବା ମା’ମାନଙ୍କୁ ପଚାରିବାରୁ ସେବା ଅତି ଉଚ୍ଚକୋଟିର ବୋଲି କହିବା ସହ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତଙ୍କୁ ସାଧୁବାଦ ଦେଇ ଅନ୍ୟ ମା’ମାନଙ୍କୁ ଉତ୍ସାହିତ କରିବାକୁ ମତବ୍ୟକ୍ତ କରିଥିଲେ। ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ ରଶ୍ମିରଞ୍ଜନ ତ୍ରିପାଠୀ, ପି.ଏଚ୍.ଇ.ଓ. ରକ୍ତିମା ପ୍ରଧାନ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଟିକାବାଲି ରୁନୁମା କହଁର, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ପାବୁରିଆ ଅଞ୍ଜଳି ଦିଗାଲ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଟିକାବାଲିର ମହିଳା ପରିଦର୍ଶିକା ମଞ୍ଜୁଲତା ବେହେରା ଓ ମମତା ଦେଇ ଉପସ୍ଥିତ ରହି ଆନୁଷ୍ଠାନିକ ପ୍ରସବକୁ ବଢ଼ାଇବା ପାଇଁ ହେଲେ ଲୋକ ଭାଗିଦାରିତାର ଯଥେଷ୍ଟ ଆବଶ୍ୟକତା ଅଛିବୋଲି କହିଥିଲେ। ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ସଭା ପରିଚାଳନା କରିଥିବାବେଳେ ରାମେଶ୍ୱରୀ ଦିଗାଲ, ସୁନେମିୟା ଦିଗାଲ, ସ୍ନେହଲତା ପ୍ରଧାନ, ନିରୁପମା ନାୟକ, ସସ୍ମିତା ବେହେରା, ଶିବାନୀ କହଁର ଓ ସ୍ୱାତୀ ଶ୍ରୀ ଅନ୍ନ ପ୍ରକଳ୍ପ କର୍ମୀ କୁସ ସାନସେଠ୍ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଆଶା ଓ ଅଙ୍ଗନୱାଡ଼ୀ କର୍ମୀ, ମହିଳା/ପୁରୁଷ ସ୍ୱାସ୍ଥ୍ୟକର୍ମୀ, ପ୍ରସୂତି ଓ ଗର୍ଭବତୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ