ଝାରସୁଗୁଡ଼ାରେ ପାଉଁଶ ମାଫିଆଙ୍କୁ ପ୍ରଶାସନର କଡ଼ା ଚେତାବନୀ ନିୟମ ଭଙ୍ଗିଲେ କମ୍ପାନୀ ବ୍ଲାକଲିଷ୍ଟ, ପ୍ରତି ଗାଡ଼ିରେ ୱେ-ବିଲ୍ ଅନିବାର୍ଯ୍ୟ
Meeting on ash management
ଝାରସୁଗୁଡ଼ାରେ ପାଉଁଶ ମାଫିଆଙ୍କୁ ପ୍ରଶାସନର କଡ଼ା ଚେତାବନୀ ନିୟମ ଭଙ୍ଗିଲେ କମ୍ପାନୀ ବ୍ଲାକଲିଷ୍ଟ, ପ୍ରତି ଗାଡ଼ିରେ ୱେ-ବିଲ୍ ଅନିବାର୍ଯ୍ୟ


ଝାରସୁଗୁଡ଼ା, ୨୭ ମେ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ପାଉଁଶ ଡମ୍ପିଂ ଓ ପାଉଁଶ ପରିବହନକୁ ନେଇ ବଢ଼ୁଥିବା ସମସ୍ୟା ଉପରେ ଲଗାମ କସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।

ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପାଉଁଶ ପରିଚାଳନା ବ୍ୟବସ୍ଥାକୁ ସୁସଂଘଟିତ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ନିଷ୍ପତି ହୋଇଛି ଯେ, ଜିଲ୍ଲାରେ ଚାଲିଥିବା ସମସ୍ତ ବେଆଇନ ପାଉଁଶ ଡମ୍ପିଂକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଆସ (ପାଉଁଶ) ଇଟା କାରଖାନାଗୁଡ଼ିକୁ ସେମାନଙ୍କ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ମାତ୍ର ପାଉଁଶ ଯୋଗାଣ କରାଯିବ। ନିୟମ ବାହାରେ ଅତିରିକ୍ତ ପାଉଁଶ ଯୋଗାଣକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ।

ସେପରି ସରକାରୀ ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀ ଓ ପରିବହନ ସଂସ୍ଥାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସ୍ଥାୟୀ ଭାବେ ବ୍ଲାକଲିଷ୍ଟ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ପାଉଁଶ ପରିବହନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ପ୍ରତ୍ୟେକ ଗାଡ଼ିରେ ୱେ-ବିଲ୍ ରଖିବାକୁ ଅନିବାର୍ଯ୍ୟ କରାଯାଇଛି। ଗାଡ଼ିରେ କେତେ ପରିମାଣର ପାଉଁଶ ରହିଛି ତାହାର ସଠିକ୍ ତଥ୍ୟ ୱେ-ବିଲ୍ ମାଧ୍ୟମରେ ଯାଂଚ କରାଯିବ ବୋଲି ଜଣାପଡ଼ିଛି।

ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ଝାରସୁଗୁଡ଼ାକୁ ପାଉଁଶ ପ୍ରଦୂଷଣମୁକ୍ତ କରିବା ଏବଂ ସହର ସହ ଆଖପାଖ ଅଂଚଳରେ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରଶାସନ ସମସ୍ତ ପ୍ରୟାସ କରୁଛି। ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ଆଗାମୀ ଦିନରେ ପାଉଁଶ ସମସ୍ୟାର ସ୍ଥାୟୀ ସମାଧାନରେ ଫଳପ୍ରଦ ହେବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande