
ଜୟପୁର, ୨୭ ମେ (ହି.ସ.) - କୋରାପୁଟ ଜିଲ୍ଲାରେ ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତନ ହେବାକୁ ଯାଉଛି। ଆଗାମୀ ୬ ମାସ ମଧ୍ୟରେ ଜିଲ୍ଲାରେ ଡିଜେଲ ଗାଡ଼ି ବଦଳରେ ୫୦ଟି ଅତ୍ୟାଧୁନିକ ଇଭି (ଇଲେକ୍ଟ୍ରିକ୍) ବସ୍ ଚଳାଚଳ କରିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନାରେ ଏହି ବସଗୁଡ଼ିକ ଚାଲିବ। ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ତଥା ଅପରେସନାଲ ଜେନେରାଲ ହେଡ୍ ସଞ୍ଜିବ ବିଶ୍ୱାଳ ଆଜି ଜୟପୁର ଗସ୍ତ କରି ଏହି ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ମାଓବାଦୀ ସମସ୍ୟା ଦୂର ହେବା ପରେ ଏବେ ମାଓ ପ୍ରବଣ ଅଂଚଳର ବିକାଶ ଉପରେ ସରକାର ସ୍ପେଶାଲ ଫୋକସ୍ ରଖିଛନ୍ତି। ଏହି କ୍ରମରେ ଜୟପୁର ବସଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ବସଷ୍ଟାଣ୍ଡ ପରିସରରେ ଇଭି ଚାର୍ଜିଂ ଷ୍ଟେସନ ସହ ଗାଡ଼ି ଧୋଇବାରେ ନଷ୍ଟ ହେଉଥିବା ପାଣିର ପୁନଃ ବ୍ୟବହାର ପାଇଁ ଏକ ୱାଟର ରିଫାଇନେରୀ ପ୍ଲାଂଟ ମଧ୍ୟ ପ୍ରତିଷ୍ଠା କରାଯିବ। ସେହିପରି ରାଜ୍ୟର ମାଓମୁକ୍ତ ହୋଇଥିବା ୭ଟି ପ୍ରମୁଖ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା,ବଲାଙ୍ଗୀର ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ଜିଲ୍ଲା ଗୁଡ଼ିକର ୭୨ଟି ବ୍ଲକର ପ୍ରାୟ ୧୦,୦୮୨ଟି ଗ୍ରାମକୁ ଏବେ ସୁଦ୍ଧା ବସ୍ ସଂଯୋଗୀକରଣ କରାଯାଇଛି। ବାକି ରହିଯାଇଥିବା ଗ୍ରାମଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଏହି ଅଂଚଳରେ ୭୭ଟି 'ଅଟଳ ବସଷ୍ଟାଣ୍ଡ' ନିର୍ମାଣ ଯୋଜନା ରହିଥିବା ବେଳେ ୧୬ଟିର କାର୍ଯ୍ୟ ସରିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ବାକି ସମସ୍ତ କାମ ଶେଷ ହେବ। ସରକାରଙ୍କ ଏହି ଗମନାଗମନ ଭିତିଭୂମି ବିକାଶ ଯୋଜନାକୁ ସାଧାରଣ ଜନତା ସ୍ୱାଗତ କରିଥିବା ବେଳେ, ଏହା କେବଳ ପ୍ରତିଶ୍ରୁତିରେ ସୀମିତ ନ ରହି ଯେପରି ସଫଳ ଭାବେ କାର୍ଯ୍ୟକାରୀ ହୁଏ, ସେଥିପାଇଁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି