
ଭୁବନେଶ୍ୱର, ୨୭ ମଇ (ହି.ସ)- ପାରାଦ୍ୱୀପରେ ଜେଏସଡବ୍ଲୁ ଷ୍ଟିଲ ପ୍ଲାଂଟର ଶିଳାନ୍ୟାସ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିସ୍ଥାପନ ବ୍ୟବସ୍ଥା ଓ କ୍ଷତିପୂରଣ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜେଏସଡବ୍ଲ୍ୟୁ ଲୌହ ପ୍ଲାଂଟ ଉଦଘାଟନ କରିବା ଦୁର୍ଭାଗ୍ୟ ଜନକ। ବାଲିକୁଦା ଏରସମା ଅଞ୍ଚଳର ପାନ, ମୀନ ଓ ଧାନ ଚାଷ କରୁଥିବା କୃଷକ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀ ପୋସ୍କୋ ଆନ୍ଦୋଳନ ସମୟରୁ ଦୀର୍ଘ ୨୨ ବର୍ଷ ହେଲା ସେମାନଙ୍କ ଅଧିକାରର ସଂଘର୍ଷ କରି ଆସୁଛନ୍ତି । ବର୍ତମାନ ଜେଏସଡବ୍ଲ୍ୟୁର ଦମନମୂଳକ ତଥା ସରକାରଙ୍କ ଉପେକ୍ଷାର ଶିକାର ହୋଇ ଦୀର୍ଘ ୮ ଦିନ କାଳ ୪୫ ଡିଗ୍ରୀ ମୁଣ୍ଡଫଟା ଖରାରେ କୁଜଙ୍ଗଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶହ ଶହ ନର ନାରୀ ନ୍ୟାୟପଥେ ଗାନ୍ଧୀ ପଦଯାତ୍ରା କରିଥିଲେ । କ୍ଷତି ପୂରଣ ଆକଳନ ନ କରି ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁର ପ୍ଲାଂଟ ଉଦଘାଟନ କରିବା ଅତି ନିନ୍ଦନୀୟ ବିଷୟ । ସରକାର ଏରସମା-ବାଲିକୁଦା ଅଂଚଳ ଲୋକଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କମ୍ପାନୀ ପ୍ରିତୀ ଯୋଗୁଁ ଆଜି ସାରା ରାଜ୍ୟରେ ଆଦିବାସୀ, ଗରିବ, ଦଳିତ ଓ କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । ସମସ୍ତେ ତିଳ ତିଳ ହୋଇ କାଳାତିପାତ କରିବାକୁ ଛାଡି ଦିଆଯାଉଛି। ଯଦି ସରକାର ନିରୀହ ଜନତାଙ୍କ ଅଧିକାର ଛଡେଇ ନେବେ, ଉପେକ୍ଷା କରିବେ ତେବେ ସାରା ରାଜ୍ୟରେ ସରକାରଙ୍କ ବିରୋଧରେ ଘୋର କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ବ୍ୟାପିବ ଓ ଏହାର ପରିଣାମ ସରକାର ଭୋଗିବ ବୋଲି ଶ୍ରୀ ଦାସ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା