
ଜୟପୁର, ୨୭ ମଇ(ହି.ସ.) – କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷକଙ୍କ ପାଇଁ “ସ୍ୱତନ୍ତ୍ର ସଘନ ସଂଶୋଧନ” ବିଷୟରେ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଅଛି।
ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା କୋରାପୁଟ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବରଙ୍କ ତତ୍ୱାବଧାନରେ ଜିଲ୍ଲାର ୧୪ଟି ବ୍ଲକ- କୋରାପୁଟ, ଜୟପୁର, ବୋରିଗୁମ୍ମା, କୋଟପାଡ଼, କୁନ୍ଦୁରା, ଲକ୍ଷ୍ମୀପୁର, ଲମତାପୁଟ, ନାରାୟଣ ପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗି, ସେମିଳିଗୁଡ଼ା ଓ ବୈପାରୀଗୁଡ଼ାରେ ଏହି ତାଲିମ ସମ୍ପନ୍ନ ହୋଇଛି। ସେ ବୈପାରୀଗୁଡ଼ା ବ୍ଲକ ଠାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ସ୍ୱୟଂ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଲିମରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଲକ୍ଷ୍ୟ, ଘରକୁ ଘର ଯାଇ ସଂଶୋଧନ, ନାମାଙ୍କନ ପତ୍ର-୬/୭/୮ ପୂରଣ, ଅଯୋଗ୍ୟ ମତଦାତାଙ୍କ ନାମ ବାଦ ଦେବା, ନୂତନ ମତଦାତାଙ୍କ ନାମ ଯୋଡ଼ିବା ବିଷୟରେ ବ୍ୟାଖ୍ୟା କରାଯାଇଥିଲା। ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକ ମଧ୍ୟ ପ୍ରଶିକ୍ଷଣ ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମର ସ୍ପଷ୍ଟତା ପ୍ରାପ୍ତ କରିଥିଲେ। ବୈପାରୀଗୁଡ଼ା ତାଲିମରେ ଅତିରିକ୍ତ ଜିଲ୍ଲାପାଳ ଶବର ଦର୍ଶାଇଥିଲେ ଯେ, “ସ୍ୱତନ୍ତ୍ର ସଘନ ସଂଶୋଧନ” ଯୋଜନା ଅନ୍ତର୍ଗତ ମତଦାତା ତାଲିକା ଉପରେ ଆଧାରିତ ଭାବରେ ଘରକୁ ଘର ଯାଇ ସଂଶୋଧନ ସମୟରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ନିଷ୍ଠାପୂର୍ବକ କାର୍ଯ୍ୟ କରି ମତଦାତାଙ୍କ ମଧ୍ୟରେ ଆସ୍ଥା ଓ ସ୍ୱଚ୍ଛତା ସୃଷ୍ଟି କରିବା ଆବଶ୍ୟକ। ଏହା ମାଧ୍ୟମରେ ମତଦାନ ପ୍ରକ୍ରିୟାକୁ ଆହୁରି ନିର୍ଭୁଲ ଏବଂ ସଫଳ କରିବାରେ ସହାୟକ ହେବ।
ପ୍ରଖର ଖରାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିମାଣର ପିଇବା ପାଣି ଏବଂ ସାଙ୍ଗରେ ଛତା ରଖିବା ସହ, ସକାଳ ୬ଟା ରୁ ଦିନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଉଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବା ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ଏଥିସହ ବୁଥକୁ ଆସୁଥିବା ସମସ୍ତ ମତଦାତାଙ୍କର ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଅତ୍ୟନ୍ତ ଜରୁରୀ ବୋଲି ସେ ଉପଦେଶ ଦେଇଛନ୍ତି।
ସମସ୍ତ ବ୍ଲକରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି