
ଜୟପୁର, ୨୭ ମେ (ହି.ସ.) - ଜୟପୁର ସହରର ପୁରୁଣା ଜାମଲ ସାହି ଶ୍ରୀରାମ ଗଳିରେ ଥିବା ଶ୍ରୀରାମ ମନ୍ଦିର ଓ ମସଜିଦ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉପ-ଜିଲ୍ଲାପାଳ ଯଦୁମଣି ନାୟକଙ୍କ ସଭାଗୃହରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୦୬ ବର୍ଷର ପୁରୁଣା ଶ୍ରୀରାମ ମନ୍ଦିର ପାର୍ଶ୍ୱକୁ ଲାଗି ସିହା ସମ୍ପ୍ରଦାୟ ପକ୍ଷରୁ ଏକ ଉପାସନା ଗୃହ (ମସଜିଦ) ନିର୍ମାଣକୁ ନେଇ ୨୦୨୩ ମସିହାରୁ ବିବାଦ ଦେଖାଦେଇଥିଲା। ସନାତନୀ ସଂଗଠନ ପକ୍ଷରୁ ଦାଖଲ ଅଭିଯୋଗ ଆଧାରରେ ତହସିଲଦାର ଏହାକୁ ୧୦୩ ବର୍ଷର ପୁରୁଣା ମନ୍ଦିର ଦର୍ଶାଇଥିବା ବେଳେ ଥାନା ଅଧିକାରୀ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ରିପୋର୍ଟ ଦେଇଥିଲେ।
ବୈଠକରେ ହିନ୍ଦୁ ପକ୍ଷର ପ୍ରତିନିଧିମାନେ ଅଭିଯୋଗ କରିଥିଲେ ଯେ, ୧୯୮୯ରେ ଜାଗା କିଣାଯାଇ ମନ୍ଦିରକୁ ଲାଗି ଜାଣିଶୁଣି ମସଜିଦ କରାଯାଇଛି। ସେମାନେ ମସଜିଦକୁ ତୁରନ୍ତ ବନ୍ଦ କରିବା ସହ ମାଇକ୍ ବ୍ୟବହାର ନକରିବା, ଆମିଷ ରନ୍ଧନ ଓ ମଦ୍ରାସା ଖୋଲିବା ଉପରେ କଟକଣା ଏବଂ ଶ୍ରୀରାମ ନବମୀରେ ସହଯୋଗ ପାଇଁ ଦାବି କରିଥିଲେ। ଅପରପକ୍ଷରେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିମାନେ ସହରରେ ଭାଇଚାରା ବଜାୟ ରହିଥିବା ପ୍ରକାଶ କରିବା ସହ ସେଠାରେ କୌଣସି ମାଦ୍ରାସା ନଥିବା, ମାଇକ୍ ବାଜୁନଥିବା କିମ୍ବା ଆମିଷ ରନ୍ଧା ହେଉନଥିବା ସ୍ପଷ୍ଟ କରିଥିଲେ।
ଉପ-ଜିଲ୍ଲାପାଳ, ତହସିଲଦାର ସାବ୍ୟସାଚି ଜେନା ଓ ଟାଉନ ଥାନା ଅଧିକାରୀ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିବାଦୀୟ ସ୍ଥାନ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ଚୂଡ଼ାନ୍ତ ପ୍ରସିଡିଂ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତେଜେଶ୍ୱର ପଣ୍ଡା, ବୁନୁ ରଥ, ଗଙ୍ଗାଧର ନାୟକ, ଆରଏସଏସର ଡ. ନିରଞ୍ଜନ ମିଶ୍ର, ପି. ନାଗୁ ଏବଂ ମୁସଲମାନ ପକ୍ଷରୁ ହାସନ ମାଦାନିଙ୍କ ସମେତ ନୱାବ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି