
ଝାରସୁଗୁଡ଼ା, 27 ମେ (ହି.ସ.) - ବିଭିନ୍ନ ବିବାଦ ଏବଂ ଅଭିଯୋଗକୁ କେନ୍ଦ୍ର କରି ଚର୍ଚ୍ଚାରେ ଥିବା ଝାରସୁଗୁଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ସରକାର ସୋମବାର ଅଚାନକ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ସୌମେସ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦେଶ ଜାରି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାଯାଇଛି।
ସୂଚନାନୁସାରେ, ଶ୍ରୀ ମଲ୍ଲିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ବଦଳି କରାଯାଇଛି। ପୌର ପରିଷଦରେ ଯୋଗଦାନ ପରଠାରୁ ତାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର, ବେଆଇନ କାର୍ଯ୍ୟକଳାପ ଓ କେତେକ କମ୍ପାନୀ ଓ ସଂସ୍ଥାଙ୍କୁ ଅନୁକୂଳତା ଦେଖାଇବା ଭଳି ଅଭିଯୋଗ ଉଠିଥିଲା। ବିଜେଡି ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣାଯାଇ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଥିଲା। ହୋଲ୍ଡିଂ ଟାକ୍ସ ଛାଡ଼, ବିଭିନ୍ନ ସଂସ୍ଥାକୁ ଆନୁଗତ୍ୟ ଦେଖାଇବା, ଦୀର୍ଘଦିନ ଧରି କାମ ପକାଇ ରଖିବା ଏବଂ ଲୋକଙ୍କ ଅଭିଯୋଗର ସମାଧାନ ନକରିବା ଭଳି ଅଭିଯୋଗ ମଧ୍ୟ ଉଠିଥିଲା। ଏହି ସମସ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ତୁରନ୍ତ ବଦଳି ପାଇଁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ଏହି ଅଚାନକ ପଦକ୍ଷେପକୁ ପ୍ରଶାସନିକ ମହଳରେ ଦଣ୍ଡମୂଳକ କାର୍ଯ୍ୟବାହୀ ଭାବେ ଦେଖାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ