
ନୂଆପଡ଼ା, ୨୭ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ସତପଥୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଚାଲିଥିବା ବିଭିନ୍ନ ସିଭିଲ କାର୍ଯ୍ୟର ସମୀକ୍ଷା କରି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ପ୍ରାଚୀର ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ରେ ନୂଆପଡ଼ା ବ୍ଲକରେ ୨୦ଟି ଏବଂ ଖଡ଼ିଆଳ ବ୍ଲକରେ ୧୮ଟି ସବ୍ ସେଣ୍ଟର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ବେଳେ ନୂଆପଡ଼ାରେ ୧୦ଟି ଏବଂ ଖଡ଼ିଆଳରେ ୧୧ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂଆପଡ଼ାରେ ୨ଟି ଏବଂ ଖଡ଼ିଆଳରେ ୫ଟି ନୂତନ ସବ୍ ସେଣ୍ଟର ମଞ୍ଜୁର ହୋଇଛି। ଜିଲ୍ଲାରେ ବର୍ତ୍ତମାନ ୧୧୭୦ ଜଣ ଆଶା କର୍ମୀ କାର୍ଯ୍ୟରତ ରହି ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ ସହ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ସହଯୋଗ କରୁଥିବା ସୂଚନା ଦିଆଯାଇଥିଲା। ଜାତୀୟ ସିକଲ ସେଲ ଆନିମିଆ ନିରାକରଣ ମିଶନ ଅଧୀନରେ ନୂଆପଡ଼ା ଜିଲ୍ଲା ସିକଲ ସେଲ ସ୍କ୍ରିନିଂ କ୍ଷେତ୍ରରେ ୧୦୪ ପ୍ରତିଶତ ସଫଳତା ହାସଲ କରିଛି। ଏହି କାର୍ଯ୍ୟକ୍ରମରେ ୧,୪୧,୧୯୩ ଜଣଙ୍କ ସ୍କ୍ରିନିଂ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୧,୪୬,୬୨୫ ଜଣଙ୍କ ସ୍କ୍ରିନିଂ କରାଯାଇଛି। ସେହିପରି ସିକଲ ସେଲ କାର୍ଡ ବଣ୍ଟନ କ୍ଷେତ୍ରରେ ୧,୧୪,୨୪୨ ଲକ୍ଷ୍ୟ ବିପରୀତ ୧,୦୯,୦୦୩ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇ ୯୫ ପ୍ରତିଶତ ସଫଳତା ହାସଲ କରାଯାଇଛି। ଏହାସହ ଜିଲ୍ଲାର ପାଞ୍ଚଟି ବ୍ଲକରେ ଅବସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ ୧ ଏପ୍ରିଲ ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ମୋଟ ୫,୫୮,୫୯୪ ଜଣ ରୋଗୀ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିଥିବାବେଳେ ସେଥିମଧ୍ୟରୁ ୨,୫୩,୫୧୦ ଜଣ ପୁରୁଷ ଏବଂ ୩,୦୪,୭୪୪ ଜଣ ମହିଳା ରହିଛନ୍ତି। ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବାର ସମସ୍ତ ମାନଦଣ୍ଡରେ ଉତ୍ତମ ସଫଳତା ହାସଲ ପାଇଁ ଅଧିକ ପରିଶ୍ରମ ଏବଂ ସମନ୍ୱୟ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସେ ଜିଲ୍ଲାରେ ୮୦ ବର୍ଷରୁ ଅଧିକ ବୟସ୍କ ପ୍ରବୀଣ ନାଗରିକଙ୍କ ପାଇଁ ଚାଲିଥିବା ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିଥିଲେ। ବୈଠକରେ ଡିପିଏମ ସତ୍ୟନାରାୟଣ ତ୍ରିପାଠୀ, ଡିଏମଓ (ଏମଏସ୍) ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ଅଜୟ ପଣ୍ଡା, ଏଡିପିଏଚଓ (ପରିବାର କଲ୍ୟାଣ) ଡା. ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ