
ସମ୍ବଲପୁର, ୨୭, ମେ (ହି.ସ.) - ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଏକ ସ୍ୱଚ୍ଛ, ସତ୍ୟାପିତ ତଥା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) - ୨୦୨୬ ଘୋଷଣା କରାଯାଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ସହ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ କରିବା । ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ତରଫରୁ ସମସ୍ତ ଭୋଟର ତଥା ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି । ଜିଲ୍ଲା ନିର୍ବାଚନ ବିଭାଗ, ସମ୍ବଲପୁର ଆନୁକୂଲ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟାୟ-୩ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଏବଂ ସାମଗ୍ରୀ ବଂଟନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ସମ୍ବଲପୁର ଜିଲ୍ଲାର ସମ୍ବଲପୁର, କୁଚିଣ୍ଡା, ରେଙ୍ଗାଲି ଓ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ମାନଙ୍କ ପାଇଁ ପ୍ରଶିକ୍ଷଣ ସୂଚୀ ପ୍ରସ୍ତୁତ କରାଯାଇଛି। କୁଚିଣ୍ଡା ବିଧାନସଭା ମଣ୍ଡଳୀରେ ମୋଟ ୩୨୯ ଜଣ ବିଏଲ୍ଓ କାର୍ଯ୍ୟରତ ଥିବାବେଳେ, ରେଢାଖୋଲ ବିଧାନସଭା ମଣ୍ଡଳୀରେ ମୋଟ ୨୯୫ ଜଣ ବିଏଲ୍ଓ , ସେହିପରି ରେଙ୍ଗାଲି ବିଧାନସଭା ମଣ୍ଡଳୀରେ ମୋଟ ୨୭୨ ଜଣ ସମ୍ବଲପୁରରେ ୨୭୦ ଜଣ ବିଏଲ୍ଓ କାର୍ଯ୍ୟରତ ଅଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟାୟ-୩ ପ୍ରକ୍ରିୟା ପାଇଁ ଯୋଗ୍ୟତା ତାରିଖ ୦୧/୦୭/୨୦୨୬ ଧାର୍ଯ୍ୟ କରାଯାଇଛି। ପ୍ରସ୍ତୁତି,ପ୍ରଶିକ୍ଷଣ ଓ ମୁଦ୍ରଣ କାର?୍ୟ୍ୟ ୨୦/୦୫/୨୦୨୬ ରୁ ୨୯/୦୫/୨୦୨୬ ପର୍ଯ୍ୟନ୍ତ , ୩୦/୦୫/୨୦୨୬ ରୁ ୨୮/୦୬/୨୦୨୬ ପର୍ଯ୍ୟନ୍ତ ବିଏଲ୍ଓ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ଭୋଟର ଯାଂଚ ଓ ତଥ୍ୟ ସଂଗ୍ରହ କାର୍ଯ୍ୟ କରାଯିବ। ୨୮/୦୬/୨୦୨୬ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କରାଯିବ । ୦୫/୦୭/୨୦୨୬ ସୁଦ୍ଧା ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପି ଦାଖଲ ସମୟସୀମା ୦୫/୦୭/୨୦୨୬ ରୁ ୦୪/୦୮/୨୦୨୬ ରିଖ ପର୍ଯ୍ୟନ୍ତ , ନୋଟିସ ପର୍ଯ୍ୟାୟ / ଦାବି ଓ ଆପତି ନିଷ୍ପତି ସମୟସୀମା ୦୫/୦୭/୨୦୨୬ ରୁ ୦୨/୦୯/୨୦୨୬ ରିଖ ପର୍ଯ୍ୟନ୍ତ , ପର୍ଯ୍ୟନ୍ତ ରହିଛି ଓ ୦୬/୦୯/୨୦୨୬ ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଧାର୍ଯ୍ୟ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତରେ ଆସନ୍ତା ୩୦.୦୫.୨୦୨୬ ଠାରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ନିଜ ନିଜ ଅଂଚଳର ପ୍ରତ୍ୟେକ ପରିବାର ନିକଟକୁ ପରିଦର୍ଶନ କରିବେ । ସେମାନେ ଆପଣଙ୍କୁ ଏକ ପରିଗଣନା ଫର୍ମ (ଏନୁମରେସନ୍ ଫର୍ମ) ପ୍ରଦାନ କରିବେ । ଆପଣଙ୍କୁ ସେହି ଫର୍ମଟିକୁ ସଠିକ୍ ଭାବରେ ପୂରଣ କରିବାରେ ବିଏଲଓ. ସମ୍ପୂର୍ଣ୍ଣ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବେ । ଆପଣଙ୍କ ଦ୍ୱାରା ଆବଶ୍ୟକୀୟ ସୂଚନା ସହ ପୂରଣ ହୋଇଥିବା ପରିଗଣନା ଫର୍ମ (ଏନୁମରେସନ୍ ଫର୍ମ)କୁ ସେମାନେ ସଂଗ୍ରହ କରିବେ ଏବଂ ଏହାର ପ୍ରମାଣ ସ୍ୱରୂପ ଆପଣଙ୍କୁ ଏକ ସ୍ୱୀକୃତିପତ୍ର ପ୍ରଦାନ କରିବେ । ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସେହି ଭୋଟରମାନଙ୍କୁ ନୋଟିସ ଜାରି କରିବେ ଯେଉଁ ଭୋଟର ମାନଙ୍କର ପରିଗଣନା ଫର୍ମରେ ପ୍ରଦାନ କରାଯାଇଥିବା ତଥ୍ୟ ପୂର୍ବ ଏସ୍ଆଇଆର ଭୋଟର ତାଲିକାର ବିବରଣୀ ଡ଼ାଟାବେସ୍ ସହ ମେଳ ଖାଉନଥିବ କିମ୍ବା ଉପଲବ୍ଧ ନଥିବ । ନୋଟିସ ପାଇବା ପରେ, ଭୋଟରମାନେ ନିମ୍ନଲିଖିତ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକ ମଧ୍ୟରୁ ଯେକୌଣସିଟି ବି.ଏଲ ଓ ମାନଙ୍କୁ ପ୍ରଦାନ କରି ସଂଶୋଧନ କରିପାରିବେ। ୧. ଯେ କୌଣସି କେନ୍ଦ୍ର/ରାଜ୍ୟ ସରକାର/ ପିଏସୟୁର ନିୟମିତ କର୍ମଚାରୀ/ ପେନସନଭୋଗୀଙ୍କୁ ଜାରି କରାଯାଇଥିବା ଯେକୌଣସି ପରିଚୟପତ୍ର/ ପେନସନ ଦେୟ ଆଦେଶନାମା ୨. ୦୧.୦୭.୧୯୮୭ ପୂର୍ବରୁ ସରକାର / ସ୍ଥାନୀୟ କର୍ତୃପକ୍ଷ / ବ୍ୟାଙ୍କ / ଡାକଘର / ଏଇଆଇସି / ପିଏସୟୁ ଦ୍ୱାରା ଭାରତରେ ଜାରି ହୋଇଥିବା ଯେ କୌଣସି ପରିଚୟ ପତ୍ର / ପ୍ରମାଣପତ୍ର / ଦସ୍ତାବିଜକ (ତକ୍ୟୁମେଂଟ) । ୩. ପ୍ରାଧିକୃତ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜନ୍ମ ପ୍ରମାଣପତ୍ର ୪. ପାସପୋର୍ଟ ୫.ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ମାଟ୍ରିକ୍/ ଶିକ୍ଷାଗତ ପ୍ରମାଣପତ୍ର ୬. ପ୍ରାକୃତ ରାଜ୍ୟ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ୭. ଜଙ୍ଗଲ ଅଧିକାର ପ୍ରମାଣପତ୍ର ୮. ଓବିସି/ଏସସି/ଏସଟି କିମ୍ବା ପ୍ରାଧୀକୃତ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଯେ କୌଣସି ଜାତି ପ୍ରମାଣପତ୍ର ୯. ଜାତୀୟ ନାଗରିକ ପଞ୍ଜିକା (ଯେଉଁଠାରେ ଏହା ଅଛି) ୧୦. ରାଜ୍ୟ/ସ୍ଥାନୀୟ କର୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ପରିବାର ପଞ୍ଜିକା ୧୧. ସରକାରଙ୍କ ଦ୍ୱାରା ଯେକୌଣସି ଜମି/ଘର ଆବଂଟନ ପ୍ରମାଣପତ୍ର ୧୨. ଆଧାର ପାଇଁ, ଆୟୋଗଙ୍କ ଚିଠି ସଂଖ୍ୟା ୨୩/୨୦୨୫-ଇଆରଏସ/ଖଣ୍ଡ ଓଓ ତାରିଖ ୦୯.୦୯.୨୦୨୫ (ପରିଶିଷ୍ଟ ଓଓ) ମାଧ୍ୟମରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବ। ଭୋଟରମାନଙ୍କ ସୁବିଧା ପାଇଁ ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ ରେ ପରିଗଣନା ଫର୍ମ (ଏନୁମରେସନ୍ ଫର୍ମ) ପୂରଣ ଓ ଦସ୍ତାବେଜ ଅପଲୋଡ୍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟର ତାଲିକାରେ ନାମ ଯାଂଚ କରିବା କିମ୍ବା ପରିବର୍ତନ କରିବା ପାଇଁ ଆପଣ ଭେଟର୍ସ.ଇସିଆଇ.ଜିଓଭି.ଇନ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ କିମ୍ବା ଗୁଗଲ୍ ପ୍ଲେ ଷ୍ଟୋର/ଆପ୍ ଷ୍ଟୋରରୁ ଇସିଆଇଏନ୍ଇଟି ଆପ୍ ବ୍ୟବହାର କରନ୍ତୁ । କୌଣସି ବି ଦ୍ୱନ୍ଦ୍ୱ କିମ୍ବା ସହାୟତା ପାଇଁ ଆମର ଟୋଲ୍-ଫ୍ରୀ ନମ୍ବର ୧୯୫୦ ରେ କଲ୍ କରନ୍ତୁ । ଜନସାଧାରଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବିଏଲ୍ଓ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ