
ଜୟପୁର , 27 ମେ (ହି.ସ.) - ଅଚଳ ହୋଇ ପଡ଼ିଛି ନଳକୂପ, ପାଣି ପାଇଁ ହା ହା କାର ହେଉଛନ୍ତି ଗ୍ରାମବାସୀ । ବ୍ଲକ ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହୋଇଛି l ପାଣି ପାଇଁ ପ୍ରାୟ ଏକ କି.ମି. ଦୂରକୁ ଯାଉଛନ୍ତି ଗ୍ରାମର ମହିଳା । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାଡ଼ିଆଜଡ଼ି ଗ୍ରାମରେ । । ଗାଡ଼ିଆଜଡ଼ି ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରି ରହିଛନ୍ତି। ଗ୍ରାମରେ ରହୁଛି ଗୋଟିଏ ମାତ୍ର ନଳକୂପ । ସେହି ନଳକୂପ ଉପରେ ଭରଷା କରିଛନ୍ତି ପ୍ରାୟ ୧୨୦ରୁ ଉର୍ଦ୍ଧ ଲୋକ । ହେଲେ ଗତ କିଛି ଦିନ ହେଲା ଗାଁରେ ଥିବା ନଳକୂପ ଖରାପ ହୋଇ ଯାଇଛି। ନଳକୂପ ଖରାପ ହେବାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ନିବେଦନ କରିବା ସହ ନଳକୂପ ମରାମତି କରିବାକୁ ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ନଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ନଳକୂପ ଖରାପ ହେବାପରେ ଗ୍ରାମବାସୀ ହନ୍ତସନ୍ତ ହେଉଥିବାର ଜଣା ପଡ଼ିଛି। ବୁନ୍ଦାଏ ପାଣି ପାଇଁ ଗାଁର ମହିଳା ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଦେବଗୁଡ଼ା ଯାଇ ପାଣି ଆଣୁଥିବାର ଦେଖିବାକୁ ମିଳିଛି ।ତେବେ ଗ୍ରାମର ସବଳ ମହିଳା ମାନେ ଦେବଗୁଡ଼ା ଗ୍ରାମକୁ ଯାଇ ପାଣି ଆଣୁଛନ୍ତି । ଦୃବଳ ମହିଳା କିମ୍ବା ବୃଦ୍ଧା ମହିଳା ମାନେ ଚୁଆଁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଚୂଆଁପାଣି ପିଇବା ଦ୍ୱାରା ରୋଗର ଆକ୍ରାନ୍ତ ହେବାର ଆଶଙ୍କା ରହିଛି ତଥାପି ବାଧ୍ୟ ହୋଇ ଚୂଆଁ ବ୍ୟବହାର କରୁଛୁ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ବ୍ଲକ ପ୍ରଶାସନ ସମାଧାନ କରିବାକୁ ଦାବି କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି