ସୋସିଆଲ ମିଡିଆରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଧମକ : ଅଭିଯୁକ୍ତ ଗିରଫ
Youth arrested for illegal id
ସୋସିଆଲ ମିଡିଆରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଧମକ : ଅଭିଯୁକ୍ତ ଗିରଫ


ଝାରସୁଗୁଡା, 27 ମେ (ହି.ସ.)

ସୋସିଆଲ ମିଡିଆରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଜଣେ ଯୁବତୀଙ୍କ ଫଟୋକୁ ଏଡିଟ୍ କରି ଅଶ୍ଳୀଳ ପୋଷ୍ଟ ଓ ଧମକମୂଳକ ସନ୍ଦେଶ ପ୍ରଚାର କରିବା ଘଟଣାରେ ଝାରସୁଗୁଡା ସାଇବର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଗ୍ରାମର ଚିତ୍ରସେନ ମେହେର (୨୧) ଓରଫ ଚୈତୁ।ପୋଲିସ ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ସିସି ଓ ଇଓ ପୋଲିସ ଷ୍ଟେସନ୍ ଝାରସୁଗୁଡାରେ କେସ ନଂ-୧୫, ତାରିଖ ୨୪.୦୫.୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୭୮(୧)(୨), ୭୯, ୩୧୯(୨), ୩୫୧(୪) ସହ ଆଇଟି ଆକ୍ଟ-୨୦୦୦ର ଧାରା ୬୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ଅଭିଯୋଗରେ ଯୁବତୀ କହିଥିଲେ ଯେ, ଗତ ୨୩ ମେ ସକାଳ ପ୍ରାୟ ୧୦ଟା ସମୟରେ କେହି ଅଜଣା ବ୍ୟକ୍ତି ତାଙ୍କର ଏଡିଟ୍ କରାଯାଇଥିବା ଫଟୋ ବ୍ୟବହାର କରି ୫ଟି ନକଲି ଇନଷ୍ଟାଗ୍ରାମ ପ୍ରୋଫାଇଲ ତିଆରି କରିଥିଲେ। ସେଥିରେ ଅଶ୍ଳୀଳ ଭାଷା ବ୍ୟବହାର ସହ ଧମକମୂଳକ ସନ୍ଦେଶ ପୋଷ୍ଟ କରାଯାଇଥିଲା।

ଘଟଣାର ତଦନ୍ତ ସମୟରେ ଝାରସୁଗୁଡା ସାଇବର ପୋଲିସ ପକ୍ଷରୁ ପ୍ରଯୁକ୍ତିଗତ ବିଶ୍ଳେଷଣ କରାଯାଇଥିଲା। ଡିଜିଟାଲ ପ୍ରମାଣ ଆଧାରରେ ଇନଷ୍ଟାଗ୍ରାମ ଆକାଉଣ୍ଟର ଉତ୍ସ ଚିହ୍ନଟ କରି ପୋଲିସ ଅଭିଯୁକ୍ତ ଚିତ୍ରସେନଙ୍କୁ ବାଲେଶ୍ୱର ଜିଲ୍ଲାରୁ ଧରିଥିଲା।

ପରେ ତାଙ୍କୁ ଗିରଫ କରି ବୁଧବାର ଅଦାଲତରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଝାରସୁଗୁଡା ପୋଲିସ ସୋସିଆଲ ମିଡିଆର ଦୁରୁପଯୋଗ ଓ ସାଇବର ଅପରାଧ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପୁନରୁଚ୍ଚାରଣ କରିଥିବା ବେଳେ, ଏପରି ଘଟଣା ଘଟିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ସାଇବର ହେଲ୍ପଲାଇନକୁ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande