ସଦର ମହକୁମା ସମତେ ଜିଲାର ଅନେକ ଅଂଚଳରେ ମିଳୁନାହିଁ ପାନୀୟ ଜଳ
ଜିଲ୍ଲାର ସମସ୍ତ ଗ୍ରାମ ଓ ସହରକୁ ୨୪x୭ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ- ବୌଦ୍ଧ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର
ଜିଲ୍ଲାର ସମସ୍ତ ଗ୍ରାମ ଓ ସହରକୁ ୨୪x୭  ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ-  ବୌଦ୍ଧ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର


ବୌଦ୍ଧ , 27 ମେ (ହି.ସ.) ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ଓ ସହରକୁ ୨୪x୭ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ବୋଲି ବୌଦ୍ଧ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଭିନ୍ନ ସମୀକ୍ଷା ବୈଠକ ରେ କହିବା ସହିତ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଉଛନ୍ତି l ମାତ୍ର ମନ୍ତ୍ରୀଙ୍କ ନିର୍ଦେଶ କେବଳ ଭାଷଣରେ ସୀମିତ ରହୁଥିବା ଓ ସରକାରୀ ବାବୁମାନେ ମାନୁନଥିବା ଦେଖାଯାଉଛି l ଜିଲାର ସଦର ମହକୁମା ଅର୍ଥାତ ନବଗଠିତ ବୌଦ୍ଧ ମୁନିସିପାଲଟି ସମତେ ଜିଲାର ଅନେକ ଅଂଚଳରେ ପାନୀୟ ଜଳ ମିଳୁନଥିବାରୁ ଲୋକେ ଜୀବନ ଅକଥନୀୟ ହୋଇପଡିଛି l ଜିଲାପାଳଙ୍କ କାର୍ଯ୍ୟାଳୟ କୁ ଲାଗି ରହିଥିବା ବୌଦ୍ଧ ମୁନିସିପାଲଟି ର 18 ନମ୍ବର ୱାର୍ଡ ରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ l ଅନ୍ୟଥର ଭଳି ଆଜି ମଧ୍ୟ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତହୋଇଛି l ସରକାରଙ୍କ ସମସ୍ତ ଯୋଜନା ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଓ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ।ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ l ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ଚିତ୍ର ଉପସ୍ଥାପନ କରାଯାଇଥିଲା । ବୌଦ୍ଧଗଡ଼ ମୁନିସିପାଲଟି, ପାନୀୟ ଜଳ ଯୋଗାଣ, ଅନ୍ତ୍ୟୋଦୟ ଗୃହ ଯୋଜନା,ସ୍ୱାସ୍ଥ୍ୟ ବିଭାଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମିଶନ ଶକ୍ତି, ରାସ୍ତା ଓ କୋଠାବାଡ଼ି, ଜଳସେଚନ, କୃଷି, ବନ, ମତ୍ସ୍ୟ, ପଶୁ ସମ୍ପଦ ଓ ଶିକ୍ଷା ଇତ୍ୟାଦି ବିଭାଗର କାର୍ଯ୍ୟକଳାପ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା l ସମୀକ୍ଷାରୁ ଜଣାପଡ଼ିଲା ଯେ ବୌଦ୍ଧଗଡ଼ ମୁନିସିପାଲିଟିରେ ମୋଟ ୧୦,୦୪୭ଟି ଘର ଥିବାବେଳେ ୨୫ଟି ୱାର୍ଡ ରହିଛି । ୧୪ଟି ମାର୍କେଟ କମ୍ପ୍ଲେକ୍ସରେ ୩୬୩ଟି ଦୋକାନ ଘର ଏବଂ ୪ଟି ଭେଣ୍ଡିଂ ଜୋନରେ ୬୭ଟି ଦୋକାନ ଘର ରହିଛି । ଏବର୍ଷ ବିଭିନ୍ନ ପ୍ରକଳ୍ପ ପାଇଁ ୪୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୪.୯୫ କୋଟି ଟଙ୍କା ବ୍ୟୟ କରାଯାଇଛି । ହୋଲ୍ଡିଂ ଟ୍ୟାକ୍ସ ବାବଦରେ ୧୭.୩୯ ଲକ୍ଷ ଏବଂ ସମୁଦାୟ ରେଭିନ୍ୟୁ ଆଦାୟ ୨୧.୩୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଥିଲା ।ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଜିଲ୍ଲାର ସମସ୍ତ ଗ୍ରାମ ଓ ସହରକୁ ୨୪x୭ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ । ବୌଦ୍ଧଗଡ଼ ମୁନିସିପାଲିଟିର ବିଭିନ୍ନ ସ୍ଥାନର ନବୀକରଣ, ସ୍ୱର୍ଗଦ୍ୱାର ନିର୍ମାଣ, ନୂତନ ଟାଉନ ହଲ୍ ନିର୍ମାଣ, ସ୍ମାର୍ଟ ରୋଡ଼, ସ୍ମାର୍ଟ ପାର୍କ ଓ ଆଧୁନିକ ଆଲୋକୀକରଣ କାର୍ଯ୍ୟ ଶୀଘ୍ର କରାଯିବ । ଏହାସହିତ ଜିଲ୍ଲାରେ ମନୋରଞ୍ଜନ ଭିତ୍ତିକ ପ୍ରକଳ୍ପ ଓ ରେଭିନ୍ୟୁ ଉତ୍ସ ସୃଷ୍ଟି କରାଯିବା ସହ ରାସ୍ତା କଡ଼ରେ ଥିବା ଷ୍ଟ୍ରିଟ ଭେଣ୍ଡରମାନଙ୍କ ଆର୍ଥିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ।ଜିଲ୍ଲାର ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସିସିଟିଭି ଓ ଆଇସିସିସି ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଘର ନିର୍ମାଣ କରିପାରୁନାହାନ୍ତି, ସେମାନଙ୍କ ଘର ପ୍ରଶାସନ ପକ୍ଷରୁ ସମୟମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ । ମିଶନ ଶକ୍ତି ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ “ଲକ୍ଷପତି ଦିଦି” ରୂପେ ଗଢ଼ି ତୋଳିବାକୁ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଥିଲେ l ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ର ଲାଭ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି ସମସ୍ତ ଉନ୍ନୟନ ମୂଳକ କାମରେ ଜନ ପ୍ରତିନିଧି ମାନଙ୍କୁ ସାମିଲ କରି ସେମାନଙ୍କ ପରାମର୍ଶ ନେବା ପାଇଁ କହିଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଏଡିସନାଲ ଏସ୍ ପି ସାର୍ଥକ ରାୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ସାକ୍ଷାତକାର ଦେଇ ବୌଦ୍ଧଗଡକୁ ଏକ ଆଦର୍ଶ ମ୍ୟୁନିସିପାଲିଟୀ ଭାବରେ ଗଢ଼ି ତୋଳିବା ସହିତ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande