
ପୁରୀ,୨୭ ମେ (ହି.ସ.) - ପୁରୀ ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ମଇ ୨୦ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବିଏଲଓ ମାନଙ୍କୁ ପ୍ରଶିକ୍ଷଣ ସହ ଆବଶ୍ୟକୀୟ ଫର୍ମ ପ୍ରସ୍ତୁତ କରାଯାଇଛି। ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ଆଲୋଚନା ବୈଠକ ମାଧ୍ୟମରେ ଏସଆଇଆର କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ ସହ ପ୍ରତ୍ୟେକ ବୁଥ ମାନଙ୍କ ରେ ବୁଥ ସ୍ତରୀୟ ଏଜେଂଟ ନିୟୋଜନ କରିବାକୁ ଅନୁରୋଧ କରିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ଏସଆଇଆର ପାଇଁ ଯୋଗ୍ୟତା ତାରିଖ ଜୁଲାଇ ୧ ତାରିଖ ଧାର୍ଯ୍ୟ କରାଯାଇଛି। ମଇ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓ ମାନେ ଘରକୁ ଘର ପରିଦର୍ଶନ କରିବେ।୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକ ର ଯୁକ୍ତି ସଂଗତ ପୁନର୍ବିନ୍ୟାସ କରାଯିବ। ଜୁଲାଇ ୫ ତାରିଖ ରେ ଖସଡା ଭୋଟର ତାଲିକା ପ୍ରକାଶ କରାଯିବ। ଦାବି ଓ ଆପତି ଦାଖଲ ସମୟ ସୀମା ଜୁଲାଇ ୫ ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଜୁଲାଇ ୫ ରୁ ସେପ୍େଟମ୍ବର ୨ ତାରିଖ ପର୍ଯ୍ୟାନ୍ତ ନୋଟିସ ପର୍ଯ୍ୟାୟ, ଦାବି ଓ ଆପତିର ନିଷ୍ପତି ଗ୍ରହଣ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି।ଏହି ଜାତୀୟ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ଜିଲ୍ଲା ପ୍ରଶାସନ କାମନା କରିଛନ୍ତି। ବିଏଲଓ ମାନେ ଭୋଟର ମାନଙ୍କ ଘରକୁ ଘର ପରିଦର୍ଶନ କରିବେ ଓ ଏନୁମେରେସନ ବା ପରିଗଣନା ଫର୍ମ ଗୃହସ୍ଥଙ୍କୁ ପ୍ରଦାନ କରିବେ। ସେମାନେ ଭୋଟର ମାନଙ୍କୁ ଫର୍ମ ପୂରଣ କରିବାରେ ମାର୍ଗଦର୍ଶନ କରାଇବେ। ପରିଶେଷରେ ବିଏଲଓ ଭୋଟର ଙ୍କ ଦ୍ୱାରା ଆବଶ୍ୟକ ସୂଚନା ସହ ପୂରଣ ହୋଇଥିବା ପରିଗଣନା ଫର୍ମ ସଂଗ୍ରହ କରିବେ ଓ ଭୋଟର ମାନଙ୍କୁ ଏକ ସ୍ୱୀକୃତି ପତ୍ର ବା ଆକନଲେଜମେଂଟ ରସିଦ ପ୍ରଦାନ କରିବେ।ଏ ସମସ୍ତ କାର୍ଯ୍ୟରେ ଭୋଟର ମାନେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ